ଜାତିଭିତିକ ଜନଗଣନା ଦାବିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ
ନୂଆଦିଲ୍ଲୀ : ଜାତିଭିତିକ ଜନଗଣନା ସହ ୫୦%ରୁ ଊର୍ଦ୍ଧ୍ୱ ସଂରକ୍ଷଣ ବ୍ୟବସ୍ଥା ପାଇଁ ଆଇନ ଆଣିବାକୁ ବିଜୁ ଜନତା ଦଳ (ବିଜେଡି) ଦାବି କରିଛି। ଏନେଇ ବୁଧବାର ଦିନ ବିଜେଡି ସାଂସଦମାନେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି।
ରାଜ୍ୟଗୁଡିକୁ ସଶକ୍ତ କରିବାକୁ ୫୦%ରୁ ଅଧିକ ସଂରକ୍ଷଣ ପାଇଁ କେନ୍ଦ୍ରୀୟ ନିୟମ ପ୍ରଣୟନ ଏବଂ ଏସଇବିସି ଓ ଓବିସିଙ୍କ ଚିହ୍ନଟ ପାଇଁ ଜାତିଭିତ୍ତିକ ଗଣନା କରିବାକୁ ଦଳୀୟ ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ @AmitShah ଙ୍କୁ ଭେଟି ଦାବି ଜଣାଇଛନ୍ତି। ଲୋକଙ୍କ ସ୍ୱାର୍ଥପାଇଁ ଓଡ଼ିଶା ହକର ଲଢ଼େଇକୁ ଦଳୀୟ ସାଂସଦମାନେ ଜୋରଦାର କରିଛନ୍ତି। #Odisha pic.twitter.com/0X9L2HXef9
— Biju Janata Dal (@bjd_odisha) August 11, 2021
ବିଜୁ ଜନତା ଦଳର ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଆଜି ସକାଳେ ସାଂସଦ ପ୍ରତିନିଧି ମଣ୍ଡଳୀ ଶାହାଙ୍କୁ ତାଙ୍କ ସଂସଦ ଚାମ୍ବରରେ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ସ୍ମାରକପତ୍ରରେ ରାଜ୍ୟଗୁଡିକର ସଶକ୍ତିକରଣ ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରି ସଂରକ୍ଷଣକୁ ୫୦% ରୁ ଅଧିକ ବୃଦ୍ଧି କରିବା ଓ ଏସଇବିସି/ଓବିସିଗୁଡ଼ିକୁ ଚିହ୍ନଟ ଏବଂ ଗଣନା ପାଇଁ ଜାତି ଭିତ୍ତିକ ଜନଗଣନା କରିବା ବିଷୟରେ ପ୍ରସ୍ତାବ ଦିଆଯାଇଥିଲା । ଏହି ସ୍ମାରକପତ୍ରକୁ ଦେଖି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ବିଜେଡ଼ି ସାଂସଦଙ୍କ ସଂରକ୍ଷଣ ୫୦% ରୁ ଅଧିକ ବୃଦ୍ଧି ଏବଂ ଏସଇବିସି/ଓବିସି ପାଇଁ ଜାତି ଭିତ୍ତିକ ଜନଗଣନା ପାଇଁ ଥିବା ଉଦବେଗକୁ ପ୍ରଶଂସା କରିଛନ୍ତି। ଏହି ବୈଠକ ଆନ୍ତରିକ ଏବଂ ସକରାତ୍ମକ ଥିଲା ବୋଲି ଜଣାପଡ଼ିଛି।