Skip to content
ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଧାନମନ୍ତ୍ରୀ ଆବାସକୁ ନେଇ ରାଜନୀତି ସେତେ ଜୋର୍ ଧରିଛି। ବିଜେପି ନେତୃତ୍ତ୍ୱାଧୀନ କେନ୍ଦ୍ର ସରକାର ଏବଂ ବିଜେଡି ନେତୃତ୍ତ୍ୱାଧୀନ ରାଜ୍ୟ ସରକାରଙ୍କ ମଧ୍ୟରେ ବସ୍ତୁତଃ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ ବିଜେଡି ସାଂସଦମାନେ କ୍ରମାଗତ ଭାବେ ଦୁଇଥର କେନ୍ଦ୍ରମନ୍ତ୍ରୀଙ୍କୁ ଗିରିରାଜ୍ ସିଂହଙ୍କୁ ଭେଟି ଗରିବଙ୍କୁ ଘର ଦେବାକୁ ପୁଣି ଅନୁରୋଧ କରିଛନ୍ତି।
ସୋମବାର ନୂଆଦିଲ୍ଲୀ କୃଷି ଭବନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ବିଜେଡି ସାଂସଦମାନେ କେନ୍ଦ୍ର କନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ୍ ମନ୍ତ୍ରୀ ଗିରିରାଜ୍ ସିଂହଙ୍କ ସହ ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ପ୍ରାୟ ଏକ ଘଣ୍ଟା ଧରି ହୋଇଥିଲା ଏହି ଆଲୋଚନା। ବୈଠକ ପରେ ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସସ୍ମିତ ପାତ୍ର କହିଥିଲେ, ପ୍ରଳୟଙ୍କରୀ ‘ଫାନି’ ବାତ୍ୟାରେ ଓଡ଼ିଶାରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା। ହଜାର ହଜାର ଘର ମାଟିରେ ମିଶି ଯାଇଥିଲା। ଏପର୍ଯ୍ୟନ୍ତ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ। ଏହି ପ୍ରରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜୁଲାଇ ଓ ଡିସେମ୍ବର ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ବିଜେଡି ସାଂସଦମାନେ ବି ଚଳିତମାସ ୧୪ରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ତେଣୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ବାସହରାଙ୍କୁ ଖୁବଶୀଘ୍ର ଘର ଦେବାକୁ ବିଚାର କରିବା ଜରୁରୀ ବୋଲି ଡ. ପାତ୍ର ଦାବି କରିଥିଲେ। ଡ. ପାତ୍ର କହିଥିଲେ, ୨୦୧୯ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଫାନି ପ୍ରଭାବିତ ୫ ଲକ୍ଷ ଲୋକଙ୍କୁ ପିଏମ୍ଏୱାଇରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ୧ ଦଶମିକ ୮୪ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇନାହିଁ। ଆହୁରି ମଧ୍ୟ କିଛି ପରିବାରଙ୍କୁ ଅଜାଣତରେ ସାମିଲ କରାଯାଇପାରିନାହିଁ। ଫାନି ବାତ୍ୟାରେ ୧ ଲକ୍ଷ ୮୪ ହଜାର ପରିବାର ଘର ହରାଇଥିଲେ।
ସେହିପରି ଅଣ ଫାନି ପ୍ରଭାବିତ ୧୬ ଜିଲ୍ଲାର ୫.୦୯ ଲକ୍ଷ ଯୋଗ୍ୟ ପରିବାରକୁ ମଧ୍ୟ ଚିହ୍ନଟ କରାଯାଇଥିଲା। ଏମାନେ ପଶ୍ଚିମ ଓଡ଼ିଶା, ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳର। ତେଣୁ ଏବେ ଆବାସ ପ୍ଲସ୍ ପୋର୍ଟାଲ ମାସକ ପାଇଁ ଖୋଲାଯାଉ। ବଳକା ପରିବାରଙ୍କ ଡାଟା ଏଥିରେ ଯୋଡା ଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କହିଛି। ଅଣପ୍ରଭାବିତ ଅଞ୍ଚଳର ଗରିବଗୁରୁବାଙ୍କୁ ଘର ଯୋଗାଇ ଦେବା ସମ୍ବିଧାନରେ ଉଲ୍ଲେଖ ରହିଛି। ସେଥିପାଇଁ କେନ୍ଦ୍ର ସରକାର ନିଜର ‘ଆବାସ୍ ପ୍ଲସ୍’ପୋର୍ଟାଲକୁ ଓଡ଼ିଶା ପାଇଁ ଖୋଲା ରଖନ୍ତୁ। ଏଥିଯୋଗୁଁ ଆବାସ ଯୋଜନାରେ ଘର ପାଇ ନ ଥିବା ଲୋକେ ଉପକୃତ ହେବେ ବୋଲି ସାଂସଦମାନେ ଦାବି କରିଛିନ୍ତି ବୋଲି ସେ ସୂଚନା ଦେଇଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗିରିରାଜ୍ ସିଂହ ବିଚାର କରିବେ ବୋଲି ପୁଣି ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ୍ ମନ୍ତ୍ରୀଙ୍କୁ ଭେଟିଥିବା ସାଂସଦଙ୍କ ମଧ୍ୟରେ ବିଜେଡି ସାଂସଦ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ଡ. ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି, ରମେଶ ମାଝୀ, ମହେଶ୍ୱର ସାହୁ, ଚନ୍ଦ୍ରଶେଖର ସାହୁ, ଚନ୍ଦ୍ରାଣୀ ମୁର୍ମୁ, ମମତା ମହନ୍ତ, ମୁନ୍ନା ଖାଁ, ସୁଜୀତ କୁମାର, ଡ. ସସ୍ମିତ ପାତ୍ର ପ୍ରଶାନ୍ତ ପ୍ରମୁଖ ଅନ୍ୟତମ ଥିଲେ।
Post Views: 2,799