ହିଂସାକାରୀଙ୍କୁ ଦଣ୍ଡ ନିଶ୍ଚୟ ମିଳିବ : ମମତା
କଲିକତା : ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟର ହିଂସା ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ବିରୋଧୀଦଳ ମାନେ ମମତା ସରକାର ବିରୋଧରେ ମର୍ଚ୍ଚା ଖୋଲିଛନ୍ତି। କେହି କେହି ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ଆଉ କେହି ପଶ୍ଚିମବଙ୍ଗରେ ଧାରା ୩୫୫ କାର୍ୟ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି ତ ଆଉ କିଏ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ କାର୍ୟ୍ୟକାରୀ କରିବାକୁ ଦାବି କରିଛନ୍ତି। ତେବେ ଏହି ଘଟଣାରେ ଗୃହ ମନ୍ତ୍ରଣାଳୟ ପଶ୍ଚିମଗଙ୍ଗ ସରକାରଙ୍କୁ ଏକ ରିପୋର୍ଟ ମାଗିଛି ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇ କହିଛନ୍ତି “ସରକାର ଆମର ଏବଂ ଆମ ରାଜ୍ୟବାସୀଙ୍କ ପାଇଁ ଆମେ ଚିନ୍ତିତ। ବିରଭମର ରାମପୁରହାଟ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ”। ସେ କହିଛନ୍ତି, “ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁଁ ତୁରନ୍ତ ଓଏସ, ଏସଡିପିଓକୁ ବରଖାସ୍ତ କରିଛି ଏବଂ ମୁଁ ଆସନ୍ତାକାଲି ରାମପୁରହାଟକୁ ଯିବି”। ସେ ଆହୁରି ମଧ୍ୟ କହିଛନ୍ତି, “ ମୁଁ ବୀରଭୂମ ହତ୍ୟାକୁ ଯଥାର୍ଥ କହୁନାହିଁ କିନ୍ତୁ ୟୁପି, ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଏଭଳି ଘଟଣା ଅଧିକ ରହିଛି ଏବଂ ଏହା ଉତ୍ତରପ୍ରଦେଶ ନୁହେଁ ବଙ୍ଗଳା। ଏହି ଘଟଣାକୁ ରାଜନୀତିକରଣ କରିବା ପରେ ବି ହିଂସା ସହ ଜଡିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ”।