ବାଇକ୍ ଚୋରି ଘଟଣା : ଅଭିଯୁକ୍ତ ଗିରଫ, ବାଇକ୍ ଉଦ୍ଧାର
ସୋର : ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ୱରରେ ଥିବା ଲିଓ ସାଇ ପେଲେସ ହୋଟେଲ ନିକଟରେ ଥିବା ଏଲ୍ଆଇସି ଅଫିସ ସମ୍ନାରୁ ଗତ ୨୬ ତାରିଖରେ ହୋଇଥିବା ଏକ ବାଇକ୍ ଚୋରି ଘଟଣାରେ ସୋର ପୋଲିସ ଅଭିଯୁକ୍ତକୁ ଗୁରୁକାର ବିଳମ୍ବିତ ରାତିରେ ଗିରଫ କରିଥିବା ବେଳେ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି ।
ଖନ୍ତାପଡ଼ା ଥାନା ଷଠୀ ଗ୍ରାମର ଗଣେଶ ଚନ୍ଦ୍ର ଓଝା ଜଣେ ଏଲ୍ଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ କୌଣସି କାର୍ଯ୍ୟରେ ସେ ସୋର ଏଲ୍ଆଇସି ଅଫିସକୁ ଆସିଥିଲେ । ଅଫିସ ସମ୍ମୁଖରେ ତାଙ୍କର ୟୁନିକର୍ଣ୍ଣ ବାଇକ୍ (ନଂ. ଓଡ଼ି୦୧ଭି-୬୪୩୦)କୁ ରଖି ଅଫିସ ଭିତରକୁ ଯାଇଥିଲେ । ମାତ୍ର କାର୍ଯ୍ୟ ସାରି ଫେରିବା ପରେ ଗାଡ଼ିଟିକୁ ନପାଇ ଅନେକ ସମୟ ଖୋଜାଖୋଜି କରିବା ପରେ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଗାଡ଼ିଟିକୁ ଜଣେ ବ୍ୟକ୍ତି ନେଇଯାଉଥିବା ଦେଖିଥିଲେ । ପରେ ଏ ବାବଦରେ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୩୭୭/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସୋର ପୋଲିସ ଏହି ଚୋରୀ ଘଟଣାରର ସମ୍ପୃକ୍ତ ଥିବା ଖନ୍ତାପଡ଼ା ଥାନା ଅଳସୁଆଁ ଗ୍ରାମର ଅନନ୍ତ କୁମାର ପଟ୍ଟନାୟକକୁ ଗିରଫ କରି ଅପରାହ୍ନରେ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରିବା ସହିତ ଚୋରି ୟୁନିକର୍ଣ୍ଣ ବାଇକ୍ଟିକୁ ପୋଲିସ ଉଦ୍ଧାର କରିଛି ।