ଓଡ଼ିଶା ଫେରିଲା ବିଜୁବାବୁଙ୍କ ‘ଡାକୋଟା’ ବିମାନ
ଭୁବନେଶ୍ବର : ଓଡ଼ିଶା ଫେରିଲା ବିଜୁବାବୁଙ୍କ ସ୍ମୃତି ଚିହ୍ନିତ ‘ଡାକୋଟା’ ବିମାନ । କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ବୁଧବାର ସକାଳୁ ବାଲେଶ୍ବର ଜିଲାର ଜଳେଶ୍ବର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି।
କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା। ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦୃଷ୍ଟିଗୋଚର ହୋଇଛି। ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଆ ଟିମ୍ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିବା ପରେ ଏହାକୁ କାଠ ବାକ୍ସରେ ପ୍ୟାକିଂ କରାଯାଇଥିଲା । ଗତକାଲି ରାତିରେ କୋଲକତା ବିମାନବନ୍ଦରରେ ଦୁଇଟି ବଡ଼ ଲରିରେ ଏହିସବୁ ବାକ୍ସକୁ ଲୋଡିଂ କରି ଅଣାଯାଉଛି । ଯେପରି ବଡ଼ ଲରି ଯୋଗୁଁ ଟ୍ରାଫିକ୍ ସମସ୍ୟା ହେବନି ସେଥିପାଇଁ କୋଲକତାରୁ ସ୍ବତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବ। ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲା ପୋଲିସ ସମେତ କମିସନରେଟ୍ ପୁଲିସକୁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଛି।
ତେଣୁ ଗତ ମଙ୍ଗଳବାର ତିନିଟି ଟ୍ରେଲରଦ୍ବାରା ରାତ୍ରି ୧୦ଟା ୪୫ରେ ଓଡ଼ିଶା ପଠାଯାଇଛି । ଯାହାକି ବୁଧବାର ସକାଳ ୧୦ଟା ମଧ୍ୟରେ ଭୁବନେଶ୍ବରରେ ପହଞ୍ଚିବ । ପ୍ରଥମ ଟ୍ରେଲର ନମ୍ବର ‘ଏନ୍ଏଲ୍ ୦୧ ଏନ୍ ୩୨୪୫’ ଥିବାବେଳେ ଦ୍ବିତୀୟଟି ‘ଏନ୍ଏଲ୍ ୦୨ ଏଏ ୦୨୮୧’। ସେହିପରି ତୃତୀୟ ଟ୍ରେଲର ନମ୍ବର ‘ଏନ୍ଏଲ୍ ୦୧ ଏବି ୨୪୮୬’। ବିମାନର ଡେଣା, ପଙ୍ଖା ଓ ଇଞ୍ଜିନ୍କୁ ବିଶେଷ ଜ୍ଞାନକୌଶଳରେ ପ୍ୟାକିଂ କରାଯାଇଛି। ଯାହାଦ୍ବାରା ବିମାନର କୌଣସି ଅଂଶ ଯାତ୍ରା ସମୟରେ ନଷ୍ଟ ହେବାର କାରଣ ରହିବ ନାହିଁ। ଏରୋସ୍ପେସ୍ ରିସର୍ଚ୍ଚ ସେଣ୍ଟର ଯନ୍ତ୍ରୀମାନେ କୁହନ୍ତି ଯେ ନିହାଣ ମୁନରେ ଡାକୋଟାକୁ ଆଘାତ କରା ନଯାଇ କାରିଗରୀ କୌଶଳରେ ସେଗୁଡ଼ିକୁ ଖୋଲାଯାଇଛି । ଯାହାଦ୍ବାରା ସୁରକ୍ଷିତ ଅବସ୍ଥାରେ ଡାକୋଟା ବିମାନ ଓଡ଼ିଶା ଯିବା ସହ ସେଠାରେ ସହଜରେ ସଂରକ୍ଷିତ କରିହେବ । ଏରୋସ୍ପେସ୍ର ଅନ୍ୟତମ ଯନ୍ତ୍ରୀ ଚନ୍ଦନ ବଣିକ କୁହନ୍ତି ଯେ ୧୦ଦିନ ଧରି ସେମାନେ ବିଶ୍ରାମହୀନ ଭାବେ କାର୍ଯ୍ୟ କରିଥିଲେ, ଯାହାକି ଆଜି ସଫଳ ହୋଇଛି ଏବଂ ଏହି ବିମାନ ଓଡ଼ିଶା ଯିବା ସମ୍ଭବ ହୋଇଛି ।