ଆଜି ଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବିଜୁ ବାବୁଙ୍କ ଡାକୋଟା ବିମାନ, ଟର୍ମିନାଲ-୧ ସାମ୍ନାରେ ହେବ ଡିସପ୍ଲେ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ବର ବିମାନ ବନ୍ଦରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ପ୍ରବାଦ ପୁରୁଷ ତଥା ଓଡ଼ିଶାର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନ । ଏହି ବିମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲ-୧ ସାମ୍ନାରେ ହେବ ଏହାର ଡିସପ୍ଲେ ।
ରବିବାର ସକାଳ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟା ଲୋକାର୍ପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହି ଡାକୋଟା ବିମାନଟି ସାଧାରଣ ଜନତାଙ୍କ ପାଇଁ ଲୋକାର୍ପିତ କରିବେ । ଯାହା ବିଜୁ ପଟ୍ଟନାୟକ ବିମାନବନ୍ଦରର ଟର୍ମିନାଲ୍ ୧ର ସାମ୍ନାରେ ରଖାଯାଇଛି। ଆସନ୍ତାକାଲି ସକାଳ ସାଢେ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ। ବିମାନ ବନ୍ଦରର ଟର୍ମିନାଲ ୧ ସମ୍ମୁଖ ଭାଗରେ ରହିଛି ଡାକୋଟାର ପ୍ରୋପେଲର୍ ବେସ୍ । ଏଥିରେ ଖଞ୍ଜା ଯାଇଛି ଫ୍ୟୁଜ ଲସ୍ । ଯେଉଁଥିରେ କଳିଙ୍ଗ ଏୟାରଲାଇନ୍ସର ଲୋଗୋ ରହିଛି। ଡାକୋଟାର ଓ୍ବିଙ୍ଗ୍ସ୍ ୨ଟିକୁ ମଧ୍ୟ ଲଗାଯାଇଛି । ଡାକୋଟାକୁ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ରୂପ ଦିଆଯାଇଛି । ଏଥିରେ ଲାଗିଥିବା ମିଲିଟାରୀ ବିମାନର ଇଞ୍ଜିନ କ୍ଷମତା ୧୮୩୦ ଏଚପିରୁ ଅଧିକ। ଆଲୁମିନିୟମରେ ନିର୍ମିତ ଏହି ବିମାନର ଡେଣାକୁ ସଂଯୋଗ କରୁଥିବା ସ୍ଥାନରେ କଳଙ୍କି ନ ଲାଗିବା ପାଇଁ ଏକ ସ୍ବତନ୍ତ୍ର ପ୍ରାଇମର ରଙ୍ଗ ଦିଆଯାଇଛି । ଯାହା ୮୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର ଦେବ। ଆସନ୍ତାକାଲି ବିମାନ ବନ୍ଦର ପରିସରରୁ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ ସେବାରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ସୂଚନା ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଏହି ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ବର ଗାଥାକୁ ବର୍ଣ୍ଣନା କରିଥାଏ । ଡଚ୍ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ବିଜୁ ବାବୁ ଉଦ୍ଧାର କରିଥିଲେ । ଏହା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ ।