ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ଖବର : ଫେବୃଆରୀ ସୁଦ୍ଧା ସାରିବାକୁ ତତ୍ପରତା ପ୍ରକାଶ
ଭୁବନେଶ୍ୱର : ଆସନ୍ତା ବର୍ଷ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନକୁ ନେଇ ଆସିଲା ବଡ ଖବର। ଆସନ୍ତା ୨୦୨୨ ଫେବୃଆରୀ ଶେଷ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାରିବାକୁ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି ।
ମାର୍ଚ୍ଚ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଜିଲା ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ସାରିବାକୁ ତତ୍ପରତା ପ୍ରକାଶ ପାଇଛି । ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡାକି ବିଚାର ବିମର୍ଶ କରିବାକୁ ସ୍ଥିର କରିଛନ୍ତି । ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସମସ୍ତ ରାଜନୈତିକ ଦଳକୁ ଏ ସଂକ୍ରାନ୍ତ ପତ୍ର ପଠାଇଛନ୍ତି । ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ଟାରେ ବୈଠକ ବସିବ । ସର୍ବଦଳୀୟ ବୈଠକରେ ସମ୍ପୃକ୍ତ ରାଜନୈତିକ ଦଳର ସଭାପତି/ ସମ୍ପାଦକ କିମ୍ବା ପ୍ରାଧିକୃତ ପ୍ରତିନିଧି ଯୋଗଦେଇ ପାରିବେ । କରୋନା କଟକଣା ଦୃଷ୍ଟିରୁ ପ୍ରତି ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ଯୋଗଦେବା ପାଇଁ ସେ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି।