ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଆହୁରି କମିବ ପେଟ୍ରୋଲ-ଡିଜେଲ ଦର !
ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଅଛି । ଇନ୍ଧନର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଭାରତ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରିଲିଜ କରିବାକୁ ରାଜି ହୋଇଛି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ୫୦ ମିଲିୟନ ଅଶୋଧିତ ତୈଳ ରିଲିଜ୍ କରିବାକୁ ଘୋଷଣା କରିଛନ୍ତି । ଭାରତର ଏହି ନିଷ୍ପତ୍ତି ଆମେରିକା ସରକାରଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି ମନେ କରାଯାଉଛି ।
ଗଲ୍ଫ ଦେଶରୁ ଅଶୋଧିତ ତୈଳର ସୀମିତ ଯୋଗାଣ ହେତୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଭାରତ ସମେତ ବିଶ୍ୱର ଅନେକ ଦେଶରେ ବଢିଚାଲିଛି । ନିକଟ ଅତୀତରେ ଭାରତ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରି ଇନ୍ଧନ ମୂଲ୍ୟ ହ୍ରାସ କରିଛି । କେବଳ କେନ୍ଦ୍ର ନୁହେଁ ଅନେକ ରାଜ୍ୟ ସରକାର ମଧ୍ୟ ଭାଟ୍ ହ୍ରାସ କରିଛନ୍ତି ଯାହା ଦ୍ୱାରା ଇନ୍ଧନ ମୂଲ୍ୟ ହ୍ରାସ ପାଇଛି । ବର୍ତ୍ତମାନ ଅଶୋଧିତ ତୈଳର ଅଭାବ ହେତୁ ଅନ୍ତର୍ଜାତୀୟ ବଜାରରେ ତେଲର ମୂଲ୍ୟ ମହଙ୍ଗା ଦେଖାଯାଉଛି ।
ଗଲ୍ଫ ଦେଶଗୁଡିକକୁ ଅନୁରୋଧ ସତ୍ତ୍ୱେ ତୈଳ ଉତ୍ପାଦନକାରୀ ଦେଶ ଅଶୋଧିତ ତୈଳ ଯୋଗାଣ ବୃଦ୍ଧି ସପକ୍ଷରେ ନାହାଁନ୍ତି । ଏହା ସମଗ୍ର ବିଶ୍ୱରେ ତେଲର ଅଭାବ ସୃଷ୍ଟି କରିଛି । ଏହି କାରଣରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆକାଶଛୁଆଁ ହେଉଛି । କିନ୍ତୁ ବର୍ତ୍ତମାନ ଆମେରିକା ସରକାର ୫୦ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ରିଲିଜ୍ କରିବାକୁ ଘୋଷଣା କରିଛି । ଆମେରିକାର ନିଷ୍ପତ୍ତି ପରେ ଭାରତ ମଧ୍ୟ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରିଲିଜ୍ କରିବ ବୋଲି ବିଶ୍ୱାସ ରହିଛି । ଏହି କାରଣରୁ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇବ । ଆମେରିକାର ପରାମର୍ଶ ପରେ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି ବୋଲି ମିଡିଆ ସୂତ୍ରରୁ ପ୍ରକାଶ । ଏହା ପଛରେ ଆସନ୍ତା ବର୍ଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ରହିଛି । ରଣନୀତି ଅନୁଯାୟୀ ତେଲର ଭଣ୍ଡାର ଖୋଲାଯିବ ଓ ତେଲ ଯୋଗାଣ ଯଥେଷ୍ଟ ହେବ । ଏହା ଇନ୍ଧନ ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି ।