ଋଣ ପ୍ରଦାନ କରୁଥିବା ୩୫୦୦ ଆପ୍ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ
ଆଜିର ଇଣ୍ଟରନେଟ ଯୁଗରେ ସାଇବର ଅପରାଧ ଘଟଣା ଦିନକୁ ଦିନ ବଢିଚାଲିଛି। ଯାହା ମଧ୍ୟରେ ରହିଛି ଅନଲାଇନ ଲୋନ କାରବାର। ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଋଣ ଦେବା ଏବଂ ପରେ ହଇରାଣ କରିବା ଏକ ବଡ ଅପରାଧରେ ପରିଣତ ହୋଇସାରିଛି। ଏବେ ଗୁଗୁଲ ଏହା ବିରୋଧରେ ଏକ ବଡ ପଦକ୍ଷେପ ନେଇଛି। ଗତ ବର୍ଷ ଭାରତରେ ପ୍ରାୟ ସାଢେ ୩ ହଜାରରୁ ଅଧିକ ଋଣ ପ୍ରଦାନକାରୀ ଆପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏନେଇ ଗୁଗୁଲ୍ ପକ୍ଷରୁ କୁହାଯାଇଥିଲା ଯେ, ସେମାନଙ୍କ ପକ୍ଷରୁ ସମୀକ୍ଷା କରାଯାଇଛି ଏବଂ ସେମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ଲାଗି ଧାର୍ଯ୍ୟ ହୋଇଥିବା ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁନଥିଲେ। ଯେଉଁ କାରଣରୁ ଏହି ଋଣ ପ୍ରଦାନକାରୀ ଆପ୍ ଉପରେ ନିଷେଧାଦେଶ ଜାରି କରାଯାଇଛି।
ଏନେଇ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ, ସେମାନେ ଏହି ପ୍ରସଙ୍ଗରେ କ୍ରମାଗତ ଭାବରେ ସେମାନଙ୍କର ନୀତି ଉପରେ କାର୍ଯ୍ୟ କରିବା ଜାରି ରଖିଛନ୍ତି। ଯାହା ଦ୍ୱାରା ସେମାନେ ସେମାନଙ୍କର ଉପଭୋକ୍ତାଙ୍କ ଅଭିଜ୍ଞତାକୁ ଉନ୍ନତ କରିପାରିବେ। ଗତ ୨୦୨୧ ବର୍ଷରେ ଭାରତରେ ଆର୍ଥିକ ସେବା ପ୍ରଦାନ କରୁଥିବା ଆପ୍ ଏବଂ ବ୍ୟକ୍ତିଗତ ଋଣ ପ୍ରଦାନ କରୁଥିବା ଆପ୍ଲିକେସନ ଆବଶ୍ୟକତା ବିଷୟରେ, ଗୁଗୁଲ୍ ଏହାର ପ୍ଲେ ଷ୍ଟୋର ଡେଭଲପର୍ ପ୍ରୋଗ୍ରାମ୍ ପଲିସି ପରିବର୍ତ୍ତନ କରିଥିଲା। ଯାହାକୁ ଋଣ ପ୍ରଦାନ କରୁଥିବା ୩୫୦୦ ଆପ୍ ଅନୁସରଣ କରିବାରେ ସକ୍ଷମ ହୋଇନଥିଲେ।
ଗୁଗୁଲ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ, ଏପରି ଆପ୍ଲିକେସନ, ଯିଏ ଋଣ ପ୍ରଦାନ କରୁଛି ସେମାନଙ୍କୁ ଏହା ନିଶ୍ଚିତ କରିବାକୁ ହେବ ଯେ ସେମାନେ ଘୋଷଣାନାମା ଫର୍ମ ପୂରଣ କରି ବ୍ୟକ୍ତିଗତ ଋଣ ପ୍ରଦାନ କରିବା ପାଇଁ ସେମାନଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଖରୁ ଲାଇସେନ୍ସ ମିଳିଛି କିମ୍ବା ସେମାନଙ୍କୁ ଆଇବିଆଇ ପକ୍ଷରୁ ମିଳିଥିବା ଲାଇସେନ୍ସ କପି ଦାଖଲ କରିବାକୁ ହେବ। ଅଥବା ସେମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ସେମାନେ ଲାଇସେନ୍ସପ୍ରାପ୍ତ ଋଣଗ୍ରହୀତାଙ୍କୁ ଋଣ ପ୍ରଦାନ କରିବା ଲାଗି ଏକମାତ୍ର ମାଧ୍ୟମ। ଏଭଳି ଆପ୍ଲିକେସନ ବିକଶିତ କରିଥିବା ଆପ୍ ଡେଭଲପର୍ସ, ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ଯେ ଖାତାର ନାମ ଏହା ସହିତ ଜଡିତ ପଞ୍ଜୀକୃତ ବ୍ୟବସାୟର ନାମ ସହିତ ମେଳ ଖାଉଛି ନା ନାହିଁ।
ଗତ ୨୦୨୨ ବର୍ଷରେ, ଗୁଗୁଲ ବ୍ୟକ୍ତିଗତ ଋଣ ପ୍ରଦାନ କରୁଥିବା ଲୋନ ଆପ୍ ବିକଶିତ କରୁଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଅତିରିକ୍ତ ଆବଶ୍ୟକତା ଉପସ୍ଥାପନ କରିଥିଲା । ଏହା ଅଧୀନରେ, ସେମାନେ ସେମାନଙ୍କର ଅଂଶୀଦାର NBFC ଏବଂ ବ୍ୟାଙ୍କ ନାମକୁ ଆପ୍ ବିବରଣୀ ମାଧ୍ୟମରେ ଦର୍ଶାଇବାକୁ ହେବ। କମ୍ପାନୀ ନିକଟରେ ଏହାର ବ୍ୟକ୍ତିଗତ ଋଣ ନୀତିରେ ସଂଶୋଧନ କରିଛି। ଯେଉଁଥିରେ କୁହାଯାଇଛି ଯେ ବ୍ୟକ୍ତିଗତ ଋଣ ପ୍ରଦାନ କରୁଥିବା ଆପ ବ୍ୟବହାରକାରୀଙ୍କ ସହିତ ସମ୍ପର୍କିତ ତଥ୍ୟ ହାସଲ କରିପାରିବେ ନାହିଁ।