ହ୍ୱାଇଟ୍ ହାଉସରେ ବାଇଡେନ୍-ଜେଲେନସ୍କି ସାକ୍ଷାତ ! ୟୁକ୍ରେନକୁ ସମର୍ଥନ ସହ ଅସ୍ତ୍ରଶସ୍ତ୍ର ଦେବାକୁ ଘୋଷଣା
ଓ୍ୱାଶିଂଟନ୍ : ହ୍ୱାଇଟ୍ ହାଉସ୍ ପରିସରରେ ରାଷ୍ଟ୍ରପତି ଜୋ ବାଇଡେନ୍-ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି ସାକ୍ଷାତ । ଆମେରିକାର ସହଯୋଗ ପୁଣି ଥରେ ଲୋଡ଼ିଲା ୟୁକ୍ରେନ୍ । ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନିବେଦନ କଲେ ଜେଲେନସ୍କି । ବାଇଡେନ ମଧ୍ୟ ୟୁକ୍ରେନକୁ ସମର୍ଥନ ସହ ଅସ୍ତ୍ରଶସ୍ତ୍ର ଦେବାକୁ ଘୋଷଣା କରିଥିବା ଜଣାପଡିଛି।
ଥମୁନି ରୁଷ ୟୁକ୍ରେନ୍ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ବର୍ତ୍ତମାନ ପୁଣି ଆମେରିକାର ସହୋଯଗ ଲୋଡ଼ିଛି ୟୁକ୍ରେନ୍ । ୟୁକ୍ରେନକୁ ସମର୍ଥନ ସହ ଅସ୍ତ୍ରଶସ୍ତ୍ର ଯୋଗାଇଦେବାରକୁ କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଜୋ ବାଇଡେନ ମଧ୍ୟ ୟୁକ୍ରେନକୁ ସମର୍ଥନ ଜଣାଇବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦୋବକୁ ଘୋଷଣା କରିଛନ୍ତି । ତାହାସହ ଆମେରିକା ୟୁକ୍ରେନ୍ ପାଇଁ ୧.୮ ବିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛି । ଜେଲେନସ୍କି ଏଥିପାଇଁ ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମିଳିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ୍ ଜେଲେନ୍ସ୍କିଙ୍କୁ କହିଲେ, ଆପଣ କଦାପି ବେସାହାରା ହୋଇ ରହିବେ ନାହିଁ। ଆମେରିକୀୟମାନେ ସବୁବେଳେ ଆପଣଙ୍କ ପାଖେ ପାଖେ ଅଛନ୍ତି ଓ ଯେତେ ଦିନ ପର୍ଯ୍ୟନ୍ତ ଆବଶ୍ୟକ ରହିବେ ମଧ୍ୟ। ମୁଁ ନିଃସନ୍ଦେହ ଆମେ ଏକତ୍ର ହୋଇ ସ୍ବାଧୀନତାର ବହ୍ନି ପ୍ରଜ୍ଜ୍ବଳନ କରି ରଖିପାରିବା। ସେ ଆଲୋକ ଚିରକାଳ ରହିବ ଓ ଅନ୍ଧକାର ଉପରେ ବିଜୟ ହାସଲ କରିବ। ସେହିପରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଲେ, ସହାୟତା ପାଇଁ ମୁଁ କଂଗ୍ରେସ ନିକଟରେ କୃତଜ୍ଞ। ରାଷ୍ଟ୍ରପତି ମହାଶୟ ଆପଣଙ୍କ ପ୍ରତି ବି କୃତଜ୍ଞ। ଦୁଇ ଦଳୀୟ ସମର୍ଥନ ପ୍ରତି ବି କୃତଜ୍ଞତା, କଂଗ୍ରେସ ପ୍ରତି କୃତଜ୍ଞତା। ଆମେରିକାର ଜନସାଧାରଣ ପ୍ରତି ଆମ ଜନସାଧାରଣଙ୍କ ମଧ୍ୟ କୃତଜ୍ଞ। ଏହାଛଡ଼ା, ୟୁ.ଏସ୍. କଂଗ୍ରେସରେ ଐତିହାସିକ ଉଦବୋଧନ ଦେଇ ସାଂସଦମାନଙ୍କୁ ଜେଲେନ୍ସ୍କି କହିଲେ, ୟୁକ୍ରେନ୍ ସର୍ବବ୍ୟାପ୍ତ ଓ ଜୀବନ୍ତ। ୟୁକ୍ରେନ୍ ତା’ର ରାଷ୍ଟ୍ରୀୟ ମର୍ଯ୍ୟାଦା ବଜାୟ ରଖିବ। କଦାପି ଆତ୍ମ ସମର୍ପଣ କରିବ ନାହିଁ।
ରୁଷ-ୟୁକ୍ରେନ୍ ଯୁଦ୍ଧର ୩୦୦ ଦିନ ପରେ ପ୍ରଥମ ଥର ପାଇଁ ଜେଲନସ୍କି ଆମେରିକା ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ ବାଇଡେନ ତାଙ୍କୁ ହ୍ୱାଇଟ ହାଉସକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ଜେଲେନସ୍କି ଓ ବାଇଡେନଙ୍କ ସାକ୍ଷାତ ସମୟରେ ଜୋ ବାଇଡେନ୍ ଉଭୟ ଦେଶର ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖିଥିଲେ । ଜୋ ବାଇଡେନ୍ କହିଥିଲେ ରୁଷ ୩୦୦ ଦିନ ହେଲା ୟୁକ୍ରେନ୍ ଉପରେ ଆକ୍ରମଣ କରିଆସୁଛି । ଯାହାକି ବିଶ୍ୱାସ ହେଉନାହିଁ । ନୀରିହ ୟୁକ୍ରେନ ବାସୀଙ୍କ ଉପରେ ରୁଷର ଏହି ଆକ୍ରମଣ ଭୟଭୀତ କରିବା ଛଡ଼ା ଅନ୍ୟକିଛି କାରଣ ହୋଇନପାରେ ।