ସମୁଦ୍ରରେ ଭୁଟୁଭୁଟି ବୁଡିଯିବା ଘଟଣା, ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଜବତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛଧରା କେନ୍ଦ୍ରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଭୁଟୁଭୁଟି ବୁଡିଯିବା ଘଟଣାର ସମୁଦ୍ରରେ ନିଖୋଜ ହୋଇଯାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ ରବିବାର ପୋଲିସ ଜବତ କରିଛି l ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ନଂ 6/23 ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି l ମୃତ ମତ୍ସ୍ୟଜୀବୀ ହେଲେ ସିଂଲା ଥାନା ସାଉଡ଼ିହି ଗ୍ରାମର ଜୀତେନ୍ଦ୍ର ପାତ୍ର (50) l
ପ୍ରକାଶ ଯେ, ନାରାୟଣୀ ନାମକ ଭୁଟୁଭୁଟିରେ ନାବିକ ସମେତ ମୋଟ 7 ଜଣ ମତ୍ସ୍ୟଜୀବୀ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ମାଛଧରା କେନ୍ଦ୍ରରୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ଯାଇଥିଲେ l ଜେଟି ଅଞ୍ଚଳ ଠାରୁ ପ୍ରାୟ 7 ଶହ ମିଟର ଦୂରରେ ଯାଉଥିବା ବେଳେ ଶନିବାର ପୂର୍ବାହ୍ନ ନଅ ଟା ସମୟ ରେ ହଠାତ ପୂର୍ବ ଦିଗରୁ ଜୋରରେ ପବନ ବୋହିଥିଲା l ଫଳରେ ଢେଉ ମାଡ଼ରେ ଭୁଟୁଭୁଟିଟି ଭାରସାମ୍ୟ ହରାଇ ସମୁଦ୍ରରେ ବୁଡ଼ିଯାଇଥିଲା l ସେଥିରେ ଥିବା ସମସ୍ତ ମତ୍ସ୍ୟଜୀବୀ ଜୀବନ ବିକଳରେ କୂଳ ନିକଟକୁ ପହଁରିବା ଆରମ୍ଭ କରିଥିଲେ l ମନୋରଞ୍ଜନ ବାରିକ, ପୂର୍ଣଚନ୍ଦ୍ର ଜେନା, ଶଙ୍କର ମଣ୍ଡଳ, ଜଗା ମଣ୍ଡଳ, ମାଲୁ ମଣ୍ଡଳ ଓ ଭୁବନ ଜେନା ପ୍ରାଣମୂର୍ଛା ପହଁରି ପହଁରି କୂଳରେ ପହଞ୍ଚିବାରେ ସମର୍ଥ ହୋଇଥିବାବେଳେ ଜିତେନ୍ଦ୍ର ପାତ୍ର ନିଖୋଜ ହୋଇଯାଇଥିଲେ ବୋଲି ଭୁଟୁଭୁଟି ମାଲିକ ବିକାଶ ବାରୋଇ ସାମୁଦ୍ରିକ ଥାନାରେ ଜଣାଇଥିଲେ l ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି ପହଞ୍ଚି ତଦନ୍ତ ଜାରିରଖିଥିଲେ l ସମୁଦ୍ର ନିକଟ ଦୁବୁଲlଗଡ଼ି ବେଳାଭୂମି ନିକଟରେ ରବିବାର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା l