୪ ନମ୍ବର ମାଛ ମାର୍କେଟ ସିଲ୍
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ୪ ନମ୍ବର ମାଛ ମାର୍କେଟ ସିଲ୍ ହୋଇଛି । ସଟ୍ ଡାଉନ୍ ରେ ମାର୍କେଟ୍ ଖୋଲା ଥିବାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହାକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । କଟକଣା କୋହଳ ହୋଇଥିଲେ ବି କରୋନା ସଂକ୍ରମଣ କମି ନଥିବାରୁ ଭୁବନେଶ୍ୱରରେ ଏବେ ବି ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ ଡାଉନ୍ ବଳବତର ରହିଛି । ତେବେ ଏହି କଟକଣାକୁ ଅମାନ୍ୟ କରି ଆଜି ୪ ନମ୍ବର ମାଛ ମାର୍କେଟ୍ ରେ କିଛି ଦୋକାନ ଖୋଲାଥିଲା । ଖବର ପାଇ ବିଏମ୍ସିର ଏକ ଟିମ୍ ମାର୍କେଟରେ ଚଢାଉ କରିଥିଲେ ।
ଜେଡିସି ଅଂଶୁମାନ ରଥ କହିଛନ୍ତି, ଗତ ସପ୍ତାହରେ ମଧ୍ୟ ସଟ୍ ଡାଉନ୍ ବେଳେ ଶନିବାର ଓ ରବିବାର ଦିନ ଏଠାରେ କିଛି ଦୋକାନ ଖୋଲା ହୋଇଥିଲା । ସେତେବେଳେ ବିଏମ୍ସି ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ଏବଂ ଏନେଇ ମାର୍କେଟ୍ ଆସୋସିଏସନ୍ ସହିତ ଆଲୋଚନା କରାଯାଇଥିଲା । ସଟ୍ ଡାଉନ୍ ରେ ଦୋକାନ ଖୋଲିବେ ନାହିଁ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଆଜି ସକାଳେ ତିନିଟି ଦୋକାନ ଖୋଲାଥିବା ଖବର ପାଇଲୁ । ତେବେ ଏଠାରେ ଆହୁରି ଅନେକ ଦୋକାନ ଖୋଲା ରହିଥିଲା ଓ ବ୍ୟବସାୟ ଚାଲିଥିଲା । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମାଛ ମାର୍କେଟକୁ ସିଲ୍ କରି ଦିଆଯାଇଛି ।