ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟାଟକଙ୍କ ମଧ୍ୟରେ ଉତ୍ସାହ
ପଟ୍ଟାମୁଣ୍ଡାଇ : ଦୀର୍ଘ ୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଫଳରେ ପର୍ଯ୍ୟାଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ଓ ବୁଲିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।
କୁମ୍ଭୀର ପ୍ରଜନନ ଋତୁ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିଲା। ଭିତରକନିକା ଖୋଲୁଥିବାରୁ ଏଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୁପ୍ତି ଓ ଡାଙ୍ଗମାଳରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିପାରିବେ । ଏଥିପାଇଁ ୱେବସାଇଟ୍ ଖୋଲା ଅଛି । ମାତ୍ର ହବାଳିଖଟିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ପୂର୍ବରୁ କେବଳ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନେ ହବାଳିଖଟି ଯାଉଥିଲେ । ହବାଳିଖଟିରେ ଥିବା ଡଲଫିନ୍ ହାଉସ ନିକଟକୁ ସମୁଦ୍ର ମାଡ଼ି ଆସିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କିଛିଦିନ ପର୍ଯ୍ୟନ୍ତ ହବାଳିଖଟିରେ ରାତ୍ରିଯାପନ ବନ୍ଦ କରାଯାଇଛି । ବର୍ଷା ଦିନେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାବାଦ୍ ଭିତରକନିକାକୁ ପଲିଥିନ ମୁକ୍ତ କରିବାକୁ ପର୍ଯ୍ୟଟକମାନଙ୍କୁ ସଚେତନ କରାଯିବ । ଭିତରକନିକା ଯେପରି ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ ଜାତୀୟ ଉଦ୍ୟାନ ହେବ, ସେଥିପାଇଁ ସବୁସ୍ତରରେ ସଚେତନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକମାନେ ପଲିଥିନ ଭିତରକୁ ନେଇ ଏଣେ ତେଣେ ଫୋପାଡ଼ିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ । ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ୍କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ପର୍ଯ୍ୟଟକମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟଜଳର ବ୍ୟବସ୍ଥା କରାଯିବ । ସୁସ୍ଥ ପରିବେଶ ପାଇଁ ପର୍ଯ୍ୟଟକମାନେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ ଭିତରକନିକା ଗଢ଼ିବାରେ ସହଯୋଗର ହାତ ବଢ଼େଇବାକୁ କନିକା ରେଂଜ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି । ପଲିଥିନ୍ ବଦଳରେ କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍ ଓ ଝୋଟରେ ପ୍ରସ୍ତୁତ ବ୍ୟାଗ୍ ବ୍ୟବହାର କରିବାକୁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।