ନବ ନିର୍ବାଚିତ ନଗରପାଳଙ୍କୁ ଭଞ୍ଜସେନାର ଦାବୀପତ୍ର ପ୍ରଦାନ
ବାରିପଦା : ନିକଟ ଅତୀତରେ ବାରିପଦା ପୌର ନିର୍ବାଚନ ସରିଥିବା ବେଳେ, ବିଜେଡି ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି ନଗରପାଳ ଭାବେ ନିର୍ବାଚିତ ହୋଇ ଦାୟୀତ୍ୱ ନେବା ପରେ ଭଂଜସେନା ପକ୍ଷରୁ ତାଙ୍କ ନିକଟରେ ବାରିପଦାର ସ୍ୱାର୍ଥ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ ପୂର୍ବକ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶୃତି କୁ ସ୍ମରଣ କରାଇ ଦିଆଯାଇଥିବାର ଜଣା ଯାଇଛି ।
ତେବେ ଦାବୀ ଗୁଡିକ ମଧ୍ୟରେ ପୌରପରିଷଦ ଅଧୀନରେ ଥିବା ୨୮ଗୋଟି ୱାର୍ଡରେ ମଶା ଉପଦ୍ରବରୁ ଲୋକଙ୍କୁ ରକ୍ଷା କରିବା, ପୌରପରିଷଦର ବିଭିନ୍ନ ଏରିଆରେ ସଠିକ ଭାବେ ସଫେଇ କାର୍ଯ୍ୟତ୍ୱରାନ୍ୱୀତ କରିବା, ସବୁ ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ତାର ସମାଧାନ କରାଯିବା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ବାରିପଦା ସହରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ୨୦୧୪ ମସିହାରୁ ବିଜେଡି ନିର୍ବାଚନୀ ଇସ୍ତାହାରରେ ଥିବା ବୁଢ଼ାବଳଙ୍ଗ ନଦୀ ପାର୍ଶ୍ୱରେ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା, ପୋୖର ପରିଷଦ ଅଧୀନରେ ହୋଇଥିବା ଭେଣ୍ଡିଙ୍ଗଜୋନ ଗୁଡିକ ପାଇଁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟକୁ ହ୍ରାସ କରି ପ୍ରକୃତ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପ୍ରଦାନ କରାଯିବା, ପୂର୍ବ ଘୋଷିତ ଅର୍ବାନ ସିଲିଂ ନିୟମ ସରଳିକରଣ କରି ସହର ମଧ୍ୟରେ ଥିବା ଜବରଦଖଲ କାରୀଙ୍କୁ ପଟା ପ୍ରଦାନ କରାଯିବା, ବିପିଏଲ କାର୍ଡଧାରୀଙ୍କୁ ମାଗଣାରେ ଘର, ପାଣି ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବା, ଷ୍ଟେସନ ଆଥଲେଟିକ ଆସୋସିଏସନ ପଡିଆରେ ମିନି ଷ୍ଟାଡିଅମ ନିର୍ମାଣ କରାଯିବା, ମଧୁବନ ପଡ଼ିଆର ଉନ୍ନତି କରଣ କରାଯିବା, ବାରୁଣୀ ସ୍ଥିତ ସ୍ମଶାନ ଘାଟରେ ଥିବା ପୋଖରୀର ତୁରନ୍ତ ପୁନରୁଦ୍ଧାର କରାଯିବା, ସହରର ପାର୍କିଙ୍ଗ ବ୍ୟବସ୍ଥାରେ ସୁଧାର ଆଣିବା, ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ପୌରପାଳିକା ତରଫରୁ ଯଥାଶୀଘ୍ର ଚାରିଆଡେ ଜଳଛତ୍ରର ବ୍ୟବସ୍ଥା କରାଯିବା, ସହରରେ ଥିବା ସୁଲଭ ଶୌଚାଳୟ ଗୁଡିକୁ ଯଥାଶୀଘ୍ର ଜନସାଧାରଣଙ୍କ ପାଇଁ କାର୍ଯ୍ୟକ୍ଷମ କରାଯିବା, ବାରିପଦା ରେ ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜମ୍ଭୀରା ନଦୀବନ୍ଧରୁ ବାରିପଦା ସହରକୁ ଜଳଯୋଗାଣ ତୁରନ୍ତ କରାଯିବା, ସହର ମଧ୍ୟରେ ଥିବା ୱାର୍ଡ ଗୁଡିକରେ ରାସ୍ତାଘାଟ, ଲାଇଟର ତୁରନ୍ତ ସୁବ୍ୟବସ୍ଥା କରାଯିବା ଭଳି ଦାବୀ ଉପସ୍ଥାପନ କରାଯିବା ସହ ଆସନ୍ତା ୭ ଦିନ ମଧ୍ୟରେ ବାରିପଦା ଜନସାଧାରଣଙ୍କୁ କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଇବାକୁ ଦାବୀ ଜଣାଇଛନ୍ତି । ନଚେତ ଭଂଜସେନା ତାର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ବାଧ୍ୟ ହେବ ବୋଲି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭଂଜସେନାର ଯୁବ ସଭାପତି ମାନସ ବେହେରା, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ଯୁବଛାତ୍ର ସଂଯୋଜକ ଏସ.କେ.ରାଜାଖାନ, ଛାତ୍ର ସଭାପତି ସୌମ୍ୟରଂଜନ ମିଶ୍ର, ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା, ଦେବରଂଜନ ଦାସ ଏବଂ ପବିତ୍ର କୁମାର ଗିରି ପ୍ରମୁଖ କହିଛନ୍ତି ।