ଦେଶଦ୍ରୋହୀ ଏବଂ ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି, ହୋଇପାରିବନି ପାସପୋର୍ଟ
ଶ୍ରୀନଗର : ଜାମ୍ମୁକାଶ୍ମୀର ସରକାରଙ୍କ କଠୋର ପଦକ୍ଷେପ । ଦେଶଦ୍ରୋହୀ ଏବଂ ପଥର ଫିଙ୍ଗାଳିଙ୍କୁ ସାବାଡ କରିବାକୁ ରବିବାର ଏକ ନୂଆ ଆଦେଶ ଜାରି। ଏଣିକି ଦେଶଦ୍ରୋହୀ ଏବଂ ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି। ଏଥିସହ ସେମାନଙ୍କର ପାସପୋର୍ଟ ମଧ୍ୟ ହୋଇପାରିବ ନାହିଁ।
ଜାମ୍ମୁକାଶ୍ମୀରରେ ଦେଶଦ୍ରୋହୀ ଏବଂ ପଥର ଫିଙ୍ଗାଳିଙ୍କୁ ସାବାଡ କରିବାକୁ ଏକ ନୂଆ ଆଦେଶ ଜାରି ହୋଇଛି । ଏହା ଦ୍ୱାରା ଏବେ
ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ଫିଙ୍ଗୁଥିବା ଯୁବକଙ୍କୁ ଏଣିକି ଆଉ ବିଦେଶ ଯିବାର ସୁଯୋଗ ମିଳିବ ନାହିଁ । ସେମାନେ ସରକାରୀ ଚାକିରି ମଧ୍ୟ ପାଇବେ ନାହିଁ । କାରଣ ଜମ୍ମୁକାଶ୍ମୀର ପୋଲିସର ସିଆଇଡି ୱିଙ୍ଗ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଯେଉଁମାନେ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ କରୁଛନ୍ତି ସେମାନଙ୍କ ପାସପୋର୍ଟ ଭେରିଫିକେସନକୁ ମଞ୍ଜୁରୀ ଦିଆନଯାଉ । ସିଆଇଡି କାଶ୍ମୀରର ଏସଏସପି ତାଙ୍କ ଅଧୀନରେ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ଏକ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସେ କହିଛନ୍ତି ଯେ ଯେତେବେଳେ ପାସପୋର୍ଟ ସେବା ତଥା ସରକାରୀ ଚାକିରି ପାଇଁ କୌଣସି ବ୍ୟକ୍ତିଙ୍କ ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରନ୍ତି, ସେତେବେଳେ କିଛି କଥା ପ୍ରତି ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ । ଯାହାଙ୍କର ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରାଯାଉଛି ସେମାନେ ଯେଭଳି ପଥର ଫିଙ୍ଗାଳି ହୋଇନଥିବା ସହ ରାଜ୍ୟ ଏବଂ ଦେଶର ସୁରକ୍ଷା ପ୍ରତି ବିପଦ ଆଣୁନଥିବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଯଦି କୌଣସି ଯୁବକ ଏପରି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ତେବେ ତାଙ୍କୁ କୌଣସି ପ୍ରକାରର ସରକାରୀ ଚାକିରି ପାଇଁ ପାସପୋର୍ଟ କିମ୍ବା କ୍ଲିୟରାନ୍ସ ଦିଆଯିବ ନାହିଁ। ସୂଚନା ଯେ, ଏହା ପୂର୍ବରୁ ଜାମ୍ମୁ-କାଶ୍ମୀର ସିଭିଲ ସେବା ଚାକିରି ପାଇଁ ସନ୍ତୋଷଜନକ ସିଆଇଡି ରିପୋର୍ଟକୁ ଅନିବାର୍ଯ୍ୟ କରାଯାଇଥିଲା । କୌଣସି ଆଶାୟୀ ଚାକିରି ପାଇଁ ଆବେଦନ କରିବା କିମ୍ବା ଚାକିରିରେ ଭର୍ତ୍ତି ହେବା ପୂର୍ବରୁ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ ବାଧ୍ୟ। ତାଙ୍କ ପରିବାରର କେହି ସଦସ୍ୟ ରାଜନୈତିକ ସଂଗଠନ ସହ ଜଡ଼ିତ ଅଛନ୍ତି କି ନାହିଁ, ବିଦେଶରେ କୌଣସି ସଙ୍ଗଠନରେ ସକ୍ରିୟ ଅଛନ୍ତି କି ନାହିଁ ସେନେଇ ତଥ୍ୟ ଦେବାକୁ ହେବ ବୋଲି ଜଣାପଡ଼ିଛି ।