ବ୍ରହ୍ମପୁର ମହାନଗର ନିଗମ : ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ବିଜୟୀ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦବୀ ପାଇଁ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ। ସଂଘମିତ୍ରା ଦଳେଇ ୨୦,୨୮୬ ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସବିତା ସୁଆର ପାଣିଗ୍ରାହୀଙ୍କୁ ହରାଇଛନ୍ତି । ସଂଘମିତ୍ରା ୬୬,୦୬୮ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ୪୫,୭ ୮୨ ଖଣ୍ଡ ଭୋଟ୍ ପାଇଥିଲେ । ଆମ୍ ଆଦମୀ ପାର୍ଟିର ସି.ପ୍ରିୟଙ୍କା ୭୪୫୩ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡ଼ି ତୃତୀୟ ଥର ପାଇଁ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ହାତେଇଛି ।ସୂଚନା ଯେ, ସଂଘମିତ୍ରା ଦଳେଇ ପୂର୍ବରୁ ୩ ଥର କର୍ପୋରେଟର ଥିଲେ ଏବଂ ବିଜେଡିର ମହିଳା ସଭାନେତ୍ରୀ ମଧ୍ୟ ରହିଥିଲେ।
ବ୍ରହ୍ମପୁର ମହାନଗର ନିର୍ବାଚନରେ କେବଳ ଯେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ତା ନୁହେଁ, ପୂର୍ବ ବର୍ଷ ତୁଳନାରେ ଅଧିକ ୱାର୍ଡରେ ବିଜୟ ଲାଭ କରି ନିଜକୁ ମହାନଗରବାସୀଙ୍କ ପସନ୍ଦର ଦଳ ଭାବେ ପୁନଃପ୍ରତିଷ୍ଠା କରିପାରିଛି। ବ୍ରହ୍ମପୁର ମହାନଗରର ମୋଟ ୪୨ଟି ୱାର୍ଡରୁ ବିଜେଡି ଦୁଇ ତୃତୀୟାଂଶରୁ ମଧ୍ୟ ଅଧିକ ଅର୍ଥାତ୍ ୩୦ଟି ୱାର୍ଡରେ ବାଜିମାତ୍ କରିଛି। ବିଜେପି ୭, କଂଗ୍ରେସ ମାତ୍ର ଗୋଟିଏ, ସ୍ୱାଧୀନ ପ୍ରାର୍ଥୀ ୪ଟି ୱାର୍ଡରେ ଜିତିଛନ୍ତି। ଏପରିକି ଭୋଟଗ୍ରହଣ ପୂର୍ବରୁ ହିଁ ୩ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ବୀ ରହିବାରୁ ଏଭଳି ଫଳାଫଳର ସଙ୍କେତ ମିଳି ସାରିଥିଲା। ଆଉ ଆଜି ଭୋଟ ଗଣତି ସହ ଫଳ ପ୍ରକାଶନ ପରେ ତାହା ସ୍ପଷ୍ଟ ହୋଇଛି ଯେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଶମ ସହର ପାଇଁ ଉନ୍ନୟନର ଯେଉଁ ଉପହାର ଭେଟି ଦେଇଥିଲେ , ମହାନଗରରେ ପ୍ରଗତିର ଯେଉଁ ଧାରା ବିଜେଡି ସରକାର ଅମଳରେ ଆରମ୍ଭ ହୋଇଛି ତାହାକୁ ମହାନଗରବାସୀ ପସନ୍ଦ କରିଛନ୍ତି ଆଉ ପ୍ରତିବଦଳରେ ମୁଖ୍ୟମନ୍ତ୍ରୀଙ୍କ ବିକାଶର ସ୍ବପ୍ନକୁ ସାକାର କରିବାକୁ ବିଜେଡିକୁ ସ୍ପଷ୍ଟ ବହୁମତରେ ବିଜୟୀ କରାଇଛନ୍ତି। ଏପରିକି ପ୍ରଥମ ଥର ହେଉଥିବା ସିଧାସଳଖ ମେୟର୍ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥିନୀଙ୍କୁ ବିପୁଳ ସମର୍ଥନ ଜଣାଇଛନ୍ତି ବ୍ରହ୍ମପୁର ବାସିନ୍ଦା।
ମନୋନୟନପତ୍ର ଦାଖଲ ବେଳରୁ ଦେଖିଲେ ବିଜେଡି ପ୍ରତି କିଭଳି ଜନସମର୍ଥନ ନିର୍ବାଚନ ଆଗରୁ ରହିଥିଲା ତାହା ସ୍ପଷ୍ଟ ଥିଲା। କେବଳ ବିଜେଡି ସମସ୍ତ ୪୨ଟି ଆସନରେ ପ୍ରାର୍ଥୀ ଦେଇପାରିଥିଲା। ବିଜେପି ୪୧ଟି ଓ କଂଗ୍ରେସ ୨୯ଟି ୱାର୍ଡରେ ପ୍ରାର୍ଥୀ ଦେଇଥିଲେ ହେଁ ପରେ ଉଭୟ ଦଳର କିଛି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଥିଲେ। ଅର୍ଥାତ୍ ବିଜେଡିକୁ ସମସ୍ତ ୱାର୍ଡରେ ମୁକାବିଲା ଦେବାକୁ ସୁଦ୍ଧା ପ୍ରତିପକ୍ଷ ଦଳ ସମର୍ଥନ ନଥିଲେ। ଗତ ପୌର ନିର୍ବାଚନରେ କଂଗ୍ରେସ ୧୫ଟି ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ୱାର୍ଡକୁ ହାତେଇଥିଲା। ୨୪ଟି ଜିତିଥିଲା ବିଜେଡି। ଯଦିଓ ଉପନିର୍ବାଚନରେ ବିଜେପି ମାତ୍ର ଗୋଟିଏ ୱାର୍ଡରେ ଜିତିପାରିଥିଲା। ଏଥର କିନ୍ତୁ ପୂର୍ବାପେକ୍ଷା ଅଧିକ ୬ଟି ୱାର୍ଡକୁ କବ୍ଜା କରିପାରିଛି ବିଜେଡି। ଶାସକ ଦଳ ଆସନର ପାଖାପାଖି ମଧ୍ୟ ହେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବିରୋଧୀ। ଦ୍ବିତୀୟ ସ୍ଥାନରେ ଥିବା ବିଜେପି ଶାସକ ଦଳ ତୁଳନାରେ ଏକ ଚତୁର୍ଥାଂଶରୁ ମଧ୍ୟ କମ୍ ଆସନ ହାସଲ କରିଛି।