ପୋଷ୍ୟ କନ୍ୟା ହୋଇ ଯାଇଥିଲେ ବେଲଜିୟମ, ୩୦ ବର୍ଷ ପରେ ଜନ୍ମମାଟିରେ ପାଦ ଦେଲେ ମାମିନା
ରାଇକିଆ: ସ୍ତ୍ରୀଙ୍କ ମୃତ୍ୟୁ ପରେ ଯତ୍ନ ନେବାକୁ ଅସମର୍ଥ ହେବାରୁ ଜଣେ ପିତା ଲାଳନପାଳନ ପାଇଁ ନିଜ ୩ ମାସର ଝିଅକୁ ଆଶ୍ରମରେ ଛାଡ଼ି ଦେଇଥିଲେ । ପରେ ବେଲଜିୟମର ଏକ ଦମ୍ପତି ସେହି ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନିଜ ଦେଶକୁ ନେଇଥିଲେ । ଆଉ ସେହିଦିନର ଶିଶୁ କନ୍ୟା ଏବେ ୩୦ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରି ଭାବବିହ୍ୱଳ ହୋଇଛନ୍ତି । କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁମାମାହା ପଞ୍ଚାୟତର ଗୁଜାପାଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୂଚନା ଯେ, ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୩୦ ବର୍ଷ ପୂର୍ବେ ନିଜ ସ୍ତ୍ରୀଙ୍କ ମୃତ୍ୟୁ ପରେ ୬ ସନ୍ତାନକୁ ଧରି ହଇରାଣ ହୋଇଥିଲେ । ଫଳରେ ୩ ମାସର ଝିଅ ମାମିନାକୁ ଲାଳନପାଳନ କରି ନପାରି ଘୁ. ଉଦୟଗିରିରେ ଥିବା ସୁଭଦ୍ରା ମହତାବ ଆଶ୍ରମ ଠାରେ ଛାଡ଼ି ଦେଇଥିଲେ । ଏହାର କିଛି ବର୍ଷ ପରେ ବେଲଜିୟମର ଏକ ଦମ୍ପତି ମାମିନାକୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ । ଫଳରେ ମାମିନା ବେଲଜିୟମରେ ବଡ଼ ହୋଇଥିଲେ । ସେଠାରେ ଶିକ୍ଷା ଲାଭ କରିବା ବିବାହ ମଧ୍ୟ କରିଥିଲେ । କିଛି ଦିନ ପୂର୍ବେ ସେ ନିଜ ଅତୀତ ବିଷୟରେ ଜାଣିବା ପରେ ନିଜ ଜନ୍ମମାଟି ଓ ପ୍ରକୃତ ପରିବାର ସଦସ୍ୟମାନଙ୍କୁ ଦେଖିବାକୁ ଚାହିଁଥିଲେ । ପରିବାର ଠିକଣା ପାଇବା ପରେ ମାମିନା ପୁନେ ଉଚ୍ଚ ନ୍ୟାୟାଳୟର ମହିଳା ଓକିଲ ଅଞ୍ଜ ପାୱାରଙ୍କ ସହଯୋଗରେ ନିଜ ଜନ୍ମମାଟିରେ ପହଞ୍ଚିଥିଲେ । ନିଜ ପରିବାରକୁ ପାଖରେ ପାଇ ମାମିନା ଭାବବିହ୍ୱଳ ହୋଇପଡ଼ିଥିଲେ । ଜନ୍ମଭୂମିରେ ପାଦ ଦେଇଥିବାରୁ ଖୁସି ପ୍ରକାଶ କରିଥିଲେ । ଅନ୍ୟପଟେ ଏତେ ବର୍ଷ ପରେ ଗାଁର ଝିଅକୁ ପାଖରେ ପାଇ ଗୁଜାପାଙ୍ଗା ଗ୍ରାମବାସୀ ମଧ୍ୟ ଆନନ୍ଦ ପ୍ରକାଶ କରିଥିଲେ ।