ସ୍ୱାମୀଙ୍କୁ ମାଡ଼ ମାରି ପତ୍ନୀଙ୍କୁ ଗଣବଳତ୍କାର : ୬ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ
ବାଲେଶ୍ୱର : ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସ୍ୱାମୀଙ୍କୁ ମାଡ଼ ମାରି ପତ୍ନୀଙ୍କୁ କରାଯାଇଥିବା ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ୨ ଜଣ ନାବାଳକ ରହିଛନ୍ତି । ବୁଧବାର ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ନାବାଳକଙ୍କୁ ଗୁରୁବାର କୋର୍ଟରେ ହାଜର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।
ସୂଚନା ଯେ, ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଏକ ଦମ୍ପତ୍ତି ୧୮ ତାରିଖ ବିଳମ୍ବିତ ରାତିରେ କିଛି ଶ୍ରମିକଙ୍କୁ ସେମାନଙ୍କ ଘରେ ଛାଡ଼ି ଫେରୁଥିବା ବେଳେ ଅରଡ଼ବଜାର ନିକଟରେ ସେମାନଙ୍କୁ ଅଭିଯୁକ୍ତମାନେ ଅଟକାଇ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ସ୍ୱାମୀ/ସ୍ତ୍ରୀ ଜୀବନ ବିକଳରେ ପାଖରେ ଥିବା ଜଣଙ୍କ ଘରେ ଆତ୍ମଗୋପନ ପାଇଁ ଦୌଡ଼ୁଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ କାବୁ କରିନେଇଥିଲେ । ସ୍ୱାମୀଙ୍କୁ ପିଟି ପିଟି ବେହୋସ କରିବା ସହ ପତ୍ନୀଙ୍କୁ ଗୋଧିବସା ପାଖ ଏକ ପଡ଼ିଆକୁ ନେଇ ଦୁର୍ବୃତ୍ତମାନେ ଗଣ ବଳାତ୍କାର କରିଥିଲେ । ଏହି ଘଟଣାକୁ ନେଇ ୧୯ ତାରିଖ ସନ୍ଧ୍ୟାରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୩୦୦/୨୦୨୨ ନଂର ମାମଲା ରୁଜୁ ସହ ୪୮ଘଣ୍ଟା ମଧ୍ୟରେ ୬ଜଣ ଯାକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛନ୍ତି । ଗିରଫ ୪ ଯୁବକ ହେଲେ ଶୋଭାରାମପୁର ଅଞ୍ଚଳର ସୋନୁ ସାହୁ ଓରଫ ଦେବନ୍ଦ୍ରେ ସିଂ, ଗୋଧିବସା ଅଞ୍ଚଳର ବାପୁନୁ ଓରଫ କନକ ସିଂ, କାର୍ତ୍ତିକ ଓରଫ ବୁଲା ସାହୁ, ଡୁମା ଓରଫ ସଲଖା ମୁର୍ମୁ । ସେହିପରି ଅଭିଯୁକ୍ତ ସାଲ୍ଖା ମୁର୍ମୁ ନାମରେ ପୂର୍ବରୁ ସହଦେବଖୁଣ୍ଟା ଥାନାରେ ୫ଟି ବିଭିନ୍ନ ପ୍ରକାରର ମାମଲା ମଧ୍ୟ ରହିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, ୨୫୦୦ ଟଙ୍କା ଓ ମୋବାଇଲ ଆଦି ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଡିଏସପି ମାନସ ଦେଓ, ସିଟି ଡିଏସପି ଗାୟତ୍ରୀ ପ୍ରଧାନ, ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।