ହୋଇଯାଆନ୍ତୁ ସତର୍କ ! ଆସୁଛି କୋରୋନାର ଆଉ ଏକ ଲହର : ରିପୋର୍ଟ
ନୂଆଦିଲ୍ଲୀ : ମହାମାରୀ କରୋନା ଭୂତାଣୁ ଯୋଗୁଁ ସାରା ଦୁନିଆ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ସଙ୍କଟ ମଧ୍ୟ ଦେଇ ଗତି କରୁଛି । କରୋନା ଭୂତାଣୁ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ସହ କୋଟି କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ଏବେବି ଏହାର ପ୍ରଭାବ କମ୍ ହେବାର ନାମ ନେଉନାହିଁ । କ୍ରମାଗତ କୋରୋନାର ନୂଆ ଭାରିଆଣ୍ଟ ସାରା ଦୁନିଆକୁ ଚିନ୍ତାର ପକାଉଛି । ଏଥିରୁ ଜଣାପଡ଼ୁଛି ଯେ କୋରୋନା ମହାମାରୀରୁ ଏତେ ଶୀଘ୍ର ମୁକ୍ତି ମିଳିବ ନାହିଁ । ବାରମ୍ୱାର ଅନେକ ରିପୋର୍ଟରେ କୋରୋନାର ଭାରିଆଣ୍ଟ ଓ ସବ୍ ଭାରିଆଣ୍ଟ ବିଷୟରେ ଅନେକ ଦାବି କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଓମିକ୍ରନର ସବ୍-ଭାରିଆଣ୍ଟ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି ।
ଏହି ସମୟରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ଏକ ବିଶ୍ଳେଷଣରେ କହିଛି ଯେ, କୋଭିଡ-୧୯ ସଂକ୍ରମଣର ଦୈନିକ ମାମଲା ଫେବୃଆରୀ ସୁଦ୍ଧା ଧୀରେ ଧୀରେ ବୃଦ୍ଧି ଘଟି ୧୮.୭ ମିଲିୟନକୁ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଯାହା ବର୍ତ୍ତମାନ ୧୬.୭ ମିଲିୟନରେ ଅଛି । ଏହି ରିପୋର୍ଟ ଆସିବା ପରେ ସାରା ଦୁନିଆରେ ପୁଣି ଥରେ କୋରୋନା ମାମଲା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ, ଏହି ନୂତନ ଆନୁମାନିକ ହାରାହାରି ପୂର୍ବ ଶୀତ ତୁଳନାରେ କମ୍ ରହିଛି । ଜାନୁଆରୀ ୨୦୨୨ରେ ଓମିକ୍ରନ୍ ଭାରିଆଣ୍ଟର ଶୀଘ୍ର ବିସ୍ତାର ହେବା ପରେ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା କିନ୍ତୁ ଏହା ସାଂଘାତିକ ପ୍ରମାଣିତ ହୋଇ ନଥିଲା ।
ଏହା ସହ ଏକ ରିହାତି ଖବର ଏହା ଯେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ (ଆଇଏଚଏମଇ) ମଧ୍ୟ କହିଛି ଯେ ମାମଲା ବୃଦ୍ଧି ଯୋଗୁଁ ମୃତ୍ୟୁ ମାମଲା ବଢ଼ିବ ନାହିଁ । ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ, ଆସନ୍ତା ଫେବୃଆରୀରେ ଦୁନିଆର ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ୨,୭୪୮ ହେବ । ବର୍ତ୍ତମାନ ସମୟରେ ଏହା ପ୍ରାୟ ୧,୬୬୦ ରହିଛି । ଆଇଏଚଏମଇ ଆକଳନ କରିଛି ଯେ, ଆମେରିକାରେ ଦୈନିକ ସଂକ୍ରମଣ ଏକ ତୃତୀୟାଂଶ ବଢ଼ି ୧୦ ଲକ୍ଷରୁ ଅଧିକ ହୋଇଯିବ । ଜର୍ମାନୀରେ କୋରୋନା ମାମଲାରେ ଏକ ଧରଣ ବୃଦ୍ଧି ଘଟିସାରିଛି । ଏନେଇ ଅକ୍ଟୋବର ୨୪ରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ।
ରିପୋର୍ଟରେ କୁହାଯାଇଛି ଯେ, ଜର୍ମାନୀରେ ବର୍ତ୍ତମାନ କୋଭିଡ ବୃଦ୍ଧି ଓମିକ୍ରନ୍ ସବଭାରିଆଣ୍ଟ ବିକ୍ୟୁ.୧ କିମ୍ବା ବିକ୍ୟୁ.୧.୧ ଯୋଗୁଁ ହୋଇପାରେ । ଆହୁରି ମଧ୍ୟ ଆଗାମୀ ସପ୍ତାହରେ ଏହା ୟୁରୋପର ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳିପାରେ । ଜର୍ମାନୀରେ ୨୦୨୦ ପରଠାରୁ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହେବା ସଂଖ୍ୟା ଅଧିକ ଦେଖାଯାଉଛି । ଯାହା ଚିନ୍ତାର ବିଷୟ । ଆଇଏଚଏମଇ ଅନୁଯାୟୀ, ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି ମଧ୍ୟ ସିଙ୍ଗାପୁରରେ ଦ୍ରୁତ ଗତିରେ ବ୍ୟାପିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଏହା ଦ୍ରୁତ ଗତିରେ ବ୍ୟାପୁଛି କିନ୍ତୁ କମ୍ ଗମ୍ଭୀର ବୋଲି କୁହାଯାଉଛି ।