ହୋଇଯାଆନ୍ତୁ ସତର୍କ ! ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଖାଦେବ ଏହିସବୁ ସମସ୍ୟା, ଜାଣନ୍ତୁ କଣ କଣ
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛନ୍ତି । ଯାହା ପରେ ସାରା ଦୁନିଆରେ ନୂଆ ସଙ୍କଟ ଦେଖାଦେଇଛି । ଏହି ଯୁଦ୍ଧର ପରିଣାମ ସମଗ୍ର ଦୁନିଆକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ତେଲ ଓ ଗହମ ବଜାର ଉପରେ ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିବ । ଏହା ବ୍ୟତୀତ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଷ୍ଟକ୍ ମାର୍କେଟରେ ହଇଚଇ ସୃଷ୍ଟି କରିବାରେ ଲାଗିଛି ।
ବେଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଜିଡିପି)ରେ ଋଷିଆ ଓ ୟୁକ୍ରେନର ମୋଟ ଯୋଗାନ ମାତ୍ର ୨ ପ୍ରତିଶତରୁ ବି କମ। ଏଣୁ ଏପରି କିଛିବି ହେବନି ବୋଲି ଯଦି କେହି ଭାବୁଥାନ୍ତି ଏହା ନିଶ୍ଚିତ ଭାବେ ତାଙ୍କର ଭ୍ରାନ୍ତଧାରଣା ହୋଇପାରେ। କାରଣ ବେଶ୍ୱିକ ମହାମାରୀରେ ବି ଅନେକ ସ୍ଥାନୀୟ ଅର୍ଥନୀତି ମଜଭୁତ ସ୍ଥିତିରେ ଅଛନ୍ତି ଓ ଧିରେ ଧିରେ ପୁନରୁଦ୍ଧାର ଦିଗରେ ବଢୁଛନ୍ତି। ଏହି ଯୁଦ୍ଧ ସେମାନଙ୍କ ବିକାଶ ରାସ୍ତାରେ ପ୍ରତିବନ୍ଧକ ଭାବେ ଉଭା ହୋଇପାରେ ବୋଲି ଏବେ ବିଚାର କରାଯାଉଛି। କାରଣ ଏହି ଯୁଦ୍ଧ ଯୋଗୁ କେତେକ ଦେଶର କଳକାରଖାନାକୁ ଗୁରୁତର ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ବି ପଡିପାରେ।
ସୃଷ୍ଟି ହୋଇପାରେ ଗହମ ସଙ୍କଟ :
ୟୁକ୍ରେନ ଗହମ ଅମଳରେ ବିଶ୍ୱର ୫ମ ରାଷ୍ଟ୍ର। ୟୁକ୍ରେନ ଗହମ ବିଶ୍ୱର ୬ ମାସ ପେଟ ପୁରାଇଥାଏ। ଏଥିରେ ଯୁଦ୍ଧ ଯୋଗୁ ଆଗକୁ ସାରା ବିଶ୍ୱ ଗୁରୁତର ଖାଦ୍ୟ ସଂକଟର ସମ୍ମୁଖୀନ ହେବା ନେଇ ଏବେ ଆଶଙ୍କା କରାଗଲାଣି। ଯଦି ଯୁଦ୍ଧରେ ୟୁକ୍ରେନ ଗୁରୁତର କ୍ଷତିଗ୍ରସ୍ତ ହୁଏ ତେବେ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଲୋକେ ଖାଇବାକୁ ଛଟପଟ ହେବେ। ହୁଏତ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବିଶ୍ୱରେ ପେଟ୍ରେଲ ଡିଜେଲ କଥା ଛାଡ ରୁଟି ବି ମହଙ୍ଗା ହୋଇଯାଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି।
ଯଦି କଳା ସାଗର ଅଞ୍ଚଳରେ ଗହମ ବାଣିଜ୍ୟରେ କୌଣସି ପ୍ରତିବନ୍ଧକ ଦେଖାଯିବ, ତେବେ ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ । ଏମିତିରେ ବର୍ତ୍ତମାନ ସମୟରେ କୋରୋନା ମହାମାରୀ ଯୋଗୁଁ ତେଲ ଓ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇସାରିଛି, ତେବେ ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ପ୍ରତିବନ୍ଧକ ଯୋଗୁଁ କଳା ସାଗରରେ ଏହାର ପ୍ରଭାବ ମଧ୍ୟ ଦେଖାଯିବ । ୟୁକ୍ରେନ, ଋଷ, କାଜାକିସ୍ତାନ ଏବଂ ରୋମାନିଆ ପରି ଦେଶ ଗହମର ପ୍ରମୁଖ ରପ୍ତାନିକାରୀମାନଙ୍କ ମଧ୍ୟରେ ଗଣାଯାଏ । ଯୁଦ୍ଧ ହେଲେ ଏହି ଦେଶଗୁଡିକର ରପ୍ତାନି ବ୍ୟାହତ ହେବ ।
ପ୍ରାକୃତିକ ଗ୍ୟାସ ପାଇଁ ଋଷ ଉପରେ ନିର୍ଭରଶୀଳ ୟୁରୋପ :
ୟୁରୋପୀୟ ଦେଶଗୁଡିକକୁ ମିଳୁଥିବା ପ୍ରାକୃତିକ ଗ୍ୟାସ୍ କେବଳ ଋଷରୁ ମିଳିଥାଏ । ଏହା ବେଲାଋଷ ଓ ପୋଲାଣ୍ଡ ଦେଇ ପାଇପଲାଇନ ମାଧ୍ୟମରେ ଜର୍ମାନରେ ପହଞ୍ଚେ ।
ଗୋଟିଏ ପାଇପଲାଇନ ସିଧାସଳଖ ଜର୍ମାନୀ ଓ ଅନ୍ୟଟି ୟୁକ୍ରେନ ଦେଇ ଜର୍ମାନୀରେ ପହଞ୍ଚେ । ୨୦୨୦ ମସିହାରେ ଋଷରୁ ପ୍ରାକୃତିକ ଗ୍ୟାସ ଯୋଗାଣ ହ୍ରାସ ପାଇଥିଲା । ଯୁଦ୍ଧ ଆରମ୍ଭ ହୋଇସାରିଛି, ୟୁକ୍ରେନରୁ ଆସୁଥିବା ପାଇପଲାଇନକୁ ଋଷ ଅବରୋଧ କରିପାରେ ।
ଯଦି ଏହା ଘଟେ, ତେବେ ତୈଳ ଓ ପ୍ରାକୃତିକ ଗ୍ୟାସର ମୂଲ୍ୟ ଆକାଶଛୁଆଁ ହେବ । ସମଗ୍ର ବିଶ୍ୱକୁ ଏହାର ଭାର ବହନ କରିବାକୁ ପଡ଼ିବ । ଋଷର ତେଲ ୟୁକ୍ରେନ ଦେଇ ସ୍ଲୋଭାକିଆ, ହଙ୍ଗେରୀ ଏବଂ ଚେକ ରିପବ୍ଲିକରେ ପହଞ୍ଚିଥାଏ । ଏପରି ପରିସ୍ଥିତିରେ ଯଦି ଯୋଗାଣ ବ୍ୟାହତ ହୁଏ ତେବେ ପେଟ୍ରୋଲ-ଡିଜେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ।
ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରିପାରେ । ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଦୁଇ ଦେଶର ବଜାର ଉପରେ ଏକ ବଡ଼ ପ୍ରଭାବ ପଡ଼ିବ । ସାମ୍ପ୍ରତିକ ପରିସ୍ଥିତିରେ ଉଭୟ ଦେଶର ଡଲାର ବଣ୍ଡ ଭଲ ପ୍ରଦର୍ଶନ କରୁନାହିଁ ।
ଗତ କିଛି ବର୍ଷ ମଧ୍ୟରେ ଋଷର ବଜାରରେ ହ୍ରାସ ଘଟିଛି । ଏହି ପରିସ୍ଥିତିରେ ବୈଦେଶିକ ମୁଦ୍ରା ବଜାରରେ ମଧ୍ୟ ଅନିଶ୍ଚିତତାର ବାତାବରଣ ରହିଛି । ୨୦୧୪ର ଉଦାହରଣ ନିଅନ୍ତୁ, ଲିକ୍ୱିଡିଟି ଗ୍ୟାପ୍ ଓ ଆମେରିକୀୟ ଡଲାର ହୋର୍ଡିଂ ହେତୁ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ବଜାରରେ ଦେଖିବାକୁ ମିଳିପାରେ ।