ଏସିଆ କପ୍ ବିବାଦକୁ ନେଇ ବୟାନ ରଖିଲେ ବିସିସିଆଇର ସଭାପତି ରୋଜର ବିନ୍ନି, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର (ବିସିସିଆଇ) ସଭାପତି ରୋଜର ବିନ୍ନି ଗୁରୁବାର ଦିନ କହିଛନ୍ତି ଯେ ଭାରତୀୟ ଦଳ କେଉଁ ଦେଶକୁ ଗସ୍ତ କରିବେ, ତାହା ସରକାରଙ୍କୁ ସ୍ଥିର କରିବାକୁ ପଡିବ । ବୋର୍ଡ ନିଜେ ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ନୂଆ କରି ବିସିସିଆଇର ବସ୍ ହୋଇଥିବା ରୋଜର ବିନ୍ନି କହିଛନ୍ତି । ୨୦୨୩ ଏସିଆ କପ୍ ପାଇଁ ପାକିସ୍ତାନ ଯାତ୍ରା ନକରିବାକୁ ଭାରତର ନିକଟରେ ହୋଇଥିବା ନିଷ୍ପତ୍ତି ଉପରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ବିନ୍ନି ଏହି ବୟାନ ଦେଇଛନ୍ତି ।
ଏଏନଆଇକୁ ଦେଇଥିବା ଜବାବରେ ରୋଜର ବିନ୍ନି କହିଛନ୍ତି, “ଏହା ଆମର ନିଷ୍ପତ୍ତି ନୁହେଁ । ଆମ ଦଳ କୁଆଡେ ଯିବାକୁ ଆମେ କହି ପାରିବୁ ନାହିଁ । ଯଦି ଆମେ ଦେଶ ଛାଡିବୁ କିମ୍ବା ଅନ୍ୟ ଦେଶ ଏଠାକୁ ଆସିଥାଏ, ତେବେ ଆମକୁ ସରକାରଙ୍କ ଅନୁମତି ନେବାକୁ ପଡିଥାଏ ।” ଆମେ ଏହି ନିଷ୍ପତ୍ତି ଅପାକୁ ଆପ ନେଇ ପାରି ନଥାଉ, ଆମକୁ ସରକାରଙ୍କ ଉପରେ ନିର୍ଭର ରହିବାକୁ ପଡ଼ିବ ।” ମଙ୍ଗଳବାର ବିସିସିଆଇ ସ୍ପଷ୍ଟ କରିଛି ଯେ ଭାରତୀୟ ଦଳ ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ । ଏହାକୁ ନିରପେକ୍ଷ ସ୍ଥାନରେ କରିବାକୁ ପଡିବ ।
ବିସିସିଆଇ ସଚିବ ଜୟ ଶାହା ମଙ୍ଗଳବାର ଦିନ କହିଛନ୍ତି ଯେ ବିଶ୍ୱକପ (ଭାରତ ଦ୍ୱାରା ଆୟୋଜିତ) ପୂର୍ବରୁ ୫୦ ଓଭର ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ (ପାକିସ୍ତାନ ଦ୍ୱାରା ଆୟୋଜିତ) ବର୍ତ୍ତମାନ ଅନ୍ୟତ୍ର ଅନୁଷ୍ଠିତ ହେବ । ବିସିସିଆଇ ସାଧାରଣ ବାର୍ଷିକ ବୈଠକରେ ସେ କହିଛନ୍ତି, “ଏସିଆ କପ୍ ୨୦୨୩ ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ମୁଁ ଏସିସି ସଭାପତି ଭାବରେ ଏହା କହୁଛି । ଆମେ (ଭାରତ) ସେଠାକୁ (ପାକିସ୍ତାନ) ଯାଇ ପାରିବୁ ନାହିଁ, ସେମାନେ ଏଠାକୁ ଆସିବେ ନାହିଁ । ଏହା ପୂର୍ବରୁ ମଧ୍ୟ ଏକ ନିରପେକ୍ଷ ସ୍ଥାନରେ ଏସିଆ କପ୍ ଖେଳାଯାଇଥିଲା ।”
ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ଏକ ଚିଠି ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି ଯେ ଏସିସିକୁ ଖୁବ ଶୀଘ୍ର ଏକ ବୈଠକ କରିବାକୁ ପଡ଼ିବ । ଏହା ବ୍ୟତୀତ ଭାରତର ଏହି ନିଷ୍ପତ୍ତି ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ପ୍ରଭାବିତ କରିପାରେ ।
କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଅର୍ଥଟା ଗୁରୁବାର ଦିନ କହିଛନ୍ତି ଯେ ଆସନ୍ତା ବର୍ଷ ଏସିଆ କପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ପାକିସ୍ତାନ ଗସ୍ତ କରିବକି ନାହିଁ, ତାହା ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ, କିନ୍ତୁ ଖେଳାଳିଙ୍କ ସୀମା ପାର ହେବାର ସମ୍ଭାବନା କମ୍ ବୋଲି ସେ କହିଛନ୍ତି । ତେବେ ଆସନ୍ତା ବର୍ଷ ୫୦ ଓଭର ବିଶ୍ୱକପ୍ରେ ଭାଗ ନେବାକୁ ପାକିସ୍ତାନ ଦଳ ଭାରତ ଆସିବ ବୋଲି ଅନୁରାଗ ଠାକୁର ଆଶା ପ୍ରକଟ କରୁଛନ୍ତି । ସେ କହିଛନ୍ତି ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ ।