ବାଥୁଡି ସମ୍ପ୍ରଦାୟର ବଡାମ ପୂଜା ଓ ନୂତନ ସାଙ୍ଗଠନିକ ଶାଖା ଗଠିତ

ଆନନ୍ଦପୁର : କୋଳିମାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯାତ୍ରା କୁସୁମ ଗ୍ରାମ ଠାରେ ବାଥୁଡି ସମ୍ପ୍ରଦାୟ ତରଫରୁ ଦୁଇ ଦିନ ଧରି ପ୍ରଭୁ ବଡାମଙ୍କର ପୂଜାର୍ଚ୍ଚନା ଓ ଚାଙ୍ଗୁ ନୃତ୍ୟ ସହିତ ଏକ ସାଙ୍ଗଠନିକ ସଭା ମଧ୍ୟ ଆୟୋଜିତ ହୋଇଯାଇଛି । ଏଥିରେ ଆନନ୍ଦପୁର ଉପଖଣ୍ଡର ଘଷିପୁରା, ଆନନ୍ଦପୁର, ହାଟଡ଼ିହି ବ୍ଲକ ସମେତ ପଡୋଶୀ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ଅନେକ ବାଥୁଡି ଲୋକ ଯୋଗ ଦେଇଥିଲେ ।

ରାଜ୍ୟ ବଡାମ୍ ସାଂସ୍କୃତିକ ସୁରକ୍ଷା ପରିଷଦ ର ସଦସ୍ୟ ତଥା ବରିଷ୍ଠ ଦେହୁରୀ କୈବଲ୍ୟ ନାଏକଙ୍କ ନେତୃତ୍ୱରେ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ତାଙ୍କୁ ଯାତ୍ରାକୁସୁମ ଗ୍ରାମର ଦେହୁରୀ ରାଜା ନାଏକ ଓ ଶୈଳେଶ ଫଦୁକାର ଓ ଅନ୍ୟାନ୍ୟ ଗ୍ରାମରୁ ଆସିଥିବା ଦେହୁରୀ ମାନେ ସହଯୋଗ କରିଥିଲେ । ଗ୍ରାମ ନିକଟରେ ବହି ଯାଇଥିବା ପୁଣ୍ୟତୟା ବୈତରଣୀ ନଦୀର କେନ୍ଦୁଡ଼ିହା ଘାଟରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ଆସି ଗ୍ରାମବାସୀ ଗ୍ରାମ ବଡାମ୍ ଶାଳରେ ପହଂଚି ପରମ୍ପରା ମୁତାବକ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ବାଥୁଡି ସମ୍ପ୍ରଦାୟର ରାଜ୍ୟସ୍ତରୀୟ ସଂଗଠନ ” ବାଥୁଡି ସାଂସ୍କୃତିକ ସମାଜ, ଓଡିଶା ” ପକ୍ଷରୁ ଏକ ସାଙ୍ଗଠାନିକ ସଭା ଆୟୋଜିତ ହୋଇ ଥିଲା । କେନ୍ଦୁଝର ଜିଲାର ସମଗ୍ର ଆଠଗଡ଼ ଅଞ୍ଚଳରେ ବସବାସ କରୁଥିବା ବାଥୁଡି ସମ୍ପ୍ରଦାୟର ଲୋକଙ୍କର ଉନ୍ନତି ସାଧନ ପାଇଁ ବାଥୁଡି ସାଂସ୍କୃତିକ ସମାଜ, ଆନନ୍ଦପୁରର ଏକ ନୂତନ ଶାଖା ଗଠନ କରି ଏହାର ରୂପ ରେଖ ଉପରେ ଆଲୋଚନା କରାଯାଇଥିଲା । ଅକ୍ଷୟ କୁମାର ନାଏକ ଓ ବିଭୂତି ଭୂଷଣ ନାଏକଙ୍କୁ ନବ ଗଠିତ ସଂଗଠନର ଯଥା କ୍ରମେ ସଭାପତି ଓ ସମ୍ପାଦକ ରୂପେ ମନୋନୀତ କରାଯାଇଥିଲା । ସମାଜସେବୀ ଅଖିଳ ଚନ୍ଦ୍ର ନାଏକ, ଗୁଇଟାଙ୍ଗିରି ସରପଞ୍ଚ ଦେବେନ୍ଦ୍ର ନାଏକ, ସରାସପସି ସରପଞ୍ଚ ଗଣେଶ୍ୱର ନାଏକ, ସୁରେସ ସେନାପତି, ଡ. ଫକୀର ମୋହନ ନାଏକ ଓ ବାଥୁଡି ସାଂସ୍କୃତିକ ସମାଜ, କେନ୍ଦ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ୱରର ସଭାପତି ଚତୁର୍ଭୁଜ ନାଏକ, ପୂର୍ବତନ ସମ୍ପାଦକ ଯୋଗେଶ୍ୱର ଦୋଳେଇ, ଜିଲା ସଭାପତି ପ୍ରଭାତ ନାଏକ, ଉପସଭାପତି ଭାଗବତ ନାଏକ, ସମ୍ପାଦକ ସୁଶୀଲ ଚନ୍ଦ୍ର ନାଏକ, ଇଂ. ରମେଶ ଚନ୍ଦ୍ର ନାଏକ, ମକରଧ୍ଵଜ ନାଏକ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ବାଥୁଡି ସମ୍ପ୍ରଦାୟର ସଂସ୍କୃତି ପରମ୍ପରା ଓ ଆଦି ଉପାସନା ପୀଠ ଅଠର ଦେଉଳର ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ନବ ଗଠିତ ସଂଗଠନଟି ଆଠଗଡ଼ ଅଞ୍ଚଳରେ ବାଥୁଡି ସମ୍ପ୍ରଦାୟର ଶିକ୍ଷା, ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ଆଦିର ଉନ୍ନତି ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି କେନ୍ଦ୍ରୀୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଶେଷରେ ରମାକାନ୍ତ ନାଏକ ଧନ୍ୟବାଦ ଅର୍ପଣ କରି ଥିଲେ । ରାତ୍ର ସମୟରେ ଝୁମୁକାକୁଦର, ଭରାଣ୍ଡିଆ, ରଙ୍ଗାମାଟିଆ, ଗଣ୍ଡଡ଼ିହା ଆଦି ଗ୍ରାମରୁ ଆସି ଥିବା ଚାଙ୍ଗୁ ଦୋଳ ନୃତ୍ୟ ପରିବେଷଣ କରିଥିଲେ ।
ବହୁତ ବଢିଆ