ଆଜି ବାରୁଣୀ ସ୍ନାନ, ପୂର୍ବ ସ୍ଥିତି ଅନୁଧ୍ୟାନ କଲେ ଜିଲାପରିଷଦ ଅଧ୍ୟକ୍ଷ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ କଷାଫଳ ଗ୍ରାମପଞ୍ଚାୟତ ନିକଟସ୍ଥ ସମୁଦ୍ର ତଟରେ ପ୍ରତିବର୍ଷ ଭଳି ଆସନ୍ତା ୧୯ ତାରିଖରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେଉଛି । କଷାଫଳ ଗ୍ରାମପଞ୍ଚାୟତ ନିକଟସ୍ଥ ସମୁଦ୍ର ତଟରେ ଆୟୋଜିତ ବାରୁଣୀ ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ଆସି ବୁଡ଼ ପକାଇବାର ପରମ୍ପରା କାହିଁ କାଳରୁ ରହିଆସିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ୱର ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏବଂ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନୀତା ବେହେରା ବାରୁଣୀ ଘାଟର ପୂର୍ବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମେଳାକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ଠାରୁ ଆରମ୍ଭ କରି ପାନୀୟ ଜଳ ବ୍ୟବସ୍ଥା, ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ମେଳାର ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ଏବଂ ସାମାଜିକ କର୍ମୀମାନଙ୍କୁ ସାମିଲ କରିବା ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଥିଲେ । ସ୍ଥିତି ଅନୁଧ୍ୟାନ ସମୟରେ କଷାଫଳ ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ସମେତ ମାଧବ ମଣ୍ଡଳ, ବୈଦ୍ୟନାଥ ମାନ୍ନା, ସଞ୍ଜୟ ସରେନ, ପୂର୍ଣ୍ଣଚନ୍ଦ୍ର ବଡୁ, ସୁନିଲ ମଣ୍ଡଳ, ବିଧାନ ଚନ୍ଦ୍ର ଦାସ, ଶିବାନନ୍ଦ ପାତ୍ର, କାର୍ତ୍ତିକ ମାନ୍ନା, ବୈକୁଣ୍ଠ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସୂଚନା ଯେ, ବାରୁଣୀ ସ୍ନାନ ଆମ ଓଡ଼ିଆ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଆମ ଦେଶରେ ଚାରିଧାମ, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଯେଭଳି ଭାବେ ଲୋକଙ୍କ ଐଶ୍ୱରିକ ଚିନ୍ତାଧାରାକୁ ଦିବ୍ୟଦର୍ଶନ ଯୋଗାଉଛି, ଠିକ୍ ସେହିଭଳି ବାରୁଣୀ ସ୍ନାନ ଜନସାଧାରଣଙ୍କ ମନରେ ଦିବ୍ୟଚେତନା ଭରିବା ସଙ୍ଗେସଙ୍ଗେ ନିର୍ବାଣ ପ୍ରାପ୍ତିର ସୁଯୋଗ ସୃଷ୍ଟି କରେ ।