ବାରିପଦା ବ୍ଲକ ସ୍ତରୀୟ ଶିଶୁ ମେଳା ଓ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ
ବାରିପଦା : ବାରୁଣୀ ରୋଡ ସ୍ଥିତ ବିଦ୍ୟାବିହାର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ଓଷ୍ଟାର ଜିଲ୍ଲା ସଭାପତି ସନ୍ତୋଷ କୁମାର କାସ୍ତ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସଂପାଦକ ଚିତରଂଜନ ପଳତା, ଶାମାଖୁଂଟା ବ୍ଲକ୍ ସମ୍ପାଦକ ଦୟାନିଧି ମହାନ୍ତ, ଅଧ୍ୟାପକ ପରମେଶ୍ୱର ଦେ ଏବଂ ବିଦ୍ୟାଳୟର ସଭାପତି ବିଜୟ କୁମାର ରାୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପାଠ୍ୟ ପୁସ୍ତକରେ ସୀମିତ ନରହି ଛାତ୍ରଛାତ୍ରୀ ମାନେ କଳାତ୍ମକ ଦିଗ ଏବଂ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆହ୍ୱାନ ଜଣାଇ ଥିଲେ । ବ୍ଲକ ସଂପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ, ବ୍ଲକ୍ ଉପସଭାପତି ସୁରଥ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଅତିଥିମାନେ ପ୍ରତିଯେଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିଶୁ ମେଳାରେ ବ୍ଳକ୍ର ୧୨ ଟି ଉଚ୍ଚ ବିଦ୍ୟାଳୟରୁ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ଆଗାମୀ ତିନି ବର୍ଷ ପାଇଁ ସଂଗଠନର କର୍ମକର୍ତା ଚୟନ ହୋଇଥିଲା ।ସଭାପତି ଭାବରେ ଲକ୍ଷ୍ମୀଧର ବସା, ଉପ ସଭାପତି ସୁକାନ୍ତ କୁମାର ବେହେରା ଓ ଅନୁପମା ବେହେରା, ସଂପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତ, ଯୁଗ୍ମ ସଂପାଦକ ଅଜିତ କୁମାର ମହାନ୍ତି ଓ ସୁରଥ କୁମାର ମଲ୍ଲିକ, ରାଜ୍ୟ ପରିଷଦ ଭାବେ ଜ୍ୟୋତିରଂଜନ ବାରିକ, ଜିଲ୍ଲା ପରିଷଦ ସଭ୍ୟ ଭାବରେ ସତ୍ୟବ୍ରତ ସିଂହ, ରବୀନ୍ଦ୍ର କୁମାର ମହାନ୍ତ, ପ୍ରଦୀପ କୁମାର ଆଚାର୍ଯ୍ୟ ଓ ପ୍ରଭାତ କୁମାର ସାହୁ ସର୍ବସମ୍ମତ ଭାବରେ ଦାୟୀତ୍ୱ ଗ୍ରହଣ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।