ଉପରସାହି ଗ୍ରାମରେ ବାର୍ହା ଆତଙ୍କ : ଆକ୍ରମଣରେ ୪ ଆହତ, ୨ ଗୁରୁତର
ସୋର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ କେଶରୀପୁର ପଞ୍ଚାୟତ ଉପରସାହି ଗ୍ରାମରେ ବାର୍ହା ଆତଙ୍କ । ଆଜି ସକାଳେ ଏକ ବାରହା ଆକ୍ରମଣରେ ଗ୍ରାମର ୪ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ ଅଛନ୍ତି ।
ଉପରସାହି ଗ୍ରାମରେ ମଙ୍ଗଳବାର ସକାଳେ ଏକ ବାର୍ହା ଜଣଙ୍କ ପରେ ଜଣଙ୍କୁ ଆକ୍ରମଣ କରିଥିଲା । ଫଳରେ ଗ୍ରାମର ଶିବାନୀ ମଳିକ, ସୁଶୀଳା ମଳିକ, ଗୌରାଙ୍ଗ ମଳିକ, ଦିବାକର ମଳିକ, ରାକେଶ ମଳିକ ଓ ଗୟାଧର ମଳିକ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଲୋକେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ରାକେଶ ଓ ଗୟାଧର ଗୁରୁତର ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡ଼ିଛି ।
ସୂଚନା ଯେ, ସ୍ଥାନୀୟ କୁଲଡ଼ିହା ଅଭୟାରଣ୍ୟରୁ ଗତ ସୋମବାର ରାତିରେ ଏକ ବାର୍ହା ଖାଦ୍ୟ ଅନ୍ୱେଷଣରେ ଆସିଥିଲା । ସକାଳ ହୋଇଯିବାରୁ ରାସ୍ତା ନ ପାଇ ଉପରସାହି ଗ୍ରାମରେ ପଶି ଆତଙ୍କ ଖେଳାଇଥିଲା । ପରେ ବାର୍ହାଟି ଜଙ୍ଗଲକୁ ପଳାଇ ଯାଇଥିବାର ଜଣାପଡ଼ିଛି ।