ବାରବାଟୀ ଟି-୨୦ : ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ, କିଣିଲେ ପ୍ରଥମ ଟିକେଟ୍
ସରିଲା ପଡ଼ିଆ ଓ ପିଚ୍ ପ୍ରସ୍ତୁତି କାମ
ଭୁବନେଶ୍ୱର : କଟକ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍ ୧୨ ତାରିଖରେ ଖେଳାଯିବାକୁ ଥିବା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏଚଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଉପାଧ୍ୟକ୍ଷ ଅନିମେଶ ବିଶ୍ୱାଳ ଉପସ୍ଥିତ ଥିଲେ । ଏହି ଅବସରରେ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।
ବାରବାଟୀ ଟି-୨୦ ପାଇଁ ପ୍ରସ୍ତୁତି ଜୋରଦାର । ମ୍ୟାଚ୍କୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେପଡିଆ ଓ ପିଚର ସମସ୍ତ କାର୍ଯ୍ୟ ଶେଷ ହୋଇଛି । ତେବେ ଟି-୨୦ ମ୍ୟାଚ ହୋଇଥିବାରୁ ବ୍ୟାଟସମ୍ୟାନଙ୍କୁ ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ମୁଖ୍ୟ କ୍ୟୁରେଟର । ଟି-୨୦ ମ୍ୟାଚ ହୋଇଥିବାରୁ କିଭଳି ଭଲ ସ୍କୋର ହେବ ଏବଂ ପିଚ୍ ବ୍ୟାଟସମ୍ୟାନଙ୍କୁ ସୁହାଇବ ସେ ନେଇ ପିଚ୍କୁ ପ୍ରସ୍ତୁତ କରାଯାଇଛି । ଆଉଟଫିଲ୍ଡ ମଧ୍ୟ ଚଳିତଥର ପ୍ରଥମ ଥର କରି ବାଲିରେ ପ୍ରସ୍ତୁତ କରାଯାଇଛି । ଯେଭଳି ବର୍ଷା ହେଲେ ଆଉ ପଡିଆରେ ପାଣି ଜମି ରହିବ ନାହିଁ । ମ୍ୟାଚ୍ ସମୟରେ ବର୍ଷା ହେଲେ ପିଚ୍କୁ ଘୋଡାଇବା ପାଇଁ ନୂତନ ହୋଭର କଭର ଅଣାଯାଇଛି । ସେହି ଭଳି ଆଉଟ ଫିଲ୍ଡରୁ ପାଣି ଶୁଖାଇବା ପାଇଁ ନୂଆ କରି ସୁପର ସପରକୁ ବ୍ୟବହାର କରାଯିବ ଯାହା ଦ୍ୱାରା ତିରିଶ ମିନଟ ମଧ୍ୟରେ ଫିଲ୍ଡ ରୁ ପାଣି ଶୁଖା ଯାଇ ପାରିବ ବୋଲି ପିଚ କ୍ୟୁରେଟର କହିଛନ୍ତି । ଅନ୍ୟ ପଟେ ବାରବାଟୀ ଟି-୨୦ ପାଇଁ ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଥିବା ବେଳେ ଆସନ୍ତା କାଲି ଓସିଏ ଅନୁବନ୍ଧିତ ସ୍କୁଲ,କଲେଜ ଓ କ୍ଲବ ମାନଙ୍କୁ ଟିକେଟ ବିକ୍ରି କରାଯିବ । ମୋଟ ଆଠ ହଜାର ଟିକେଟ ଓସିଏ ଅନୁବନ୍ଧିତ ସଂସ୍ଥା କୁ ବିକ୍ରି କରାଯାଉଥିବା ବେଳେ କାଉଂଟରରେ ବାର ହଜାର ଟିକେଟ ବିକ୍ରି କରାଯିବ । ଆସନ୍ତା ନଅ ତାରିଖରେ ଦର୍ଶକ ମାନେ ମ୍ୟାଚ ପାଇଁ ବାରବାଟୀ ଟିକେଟ କାଉଂଟରରୁ ଟିକେଟ କିଣି ପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ । ଆସନ୍ତା ମ୍ୟାଚ ପାଇଁ ବାରବାଟୀକୁ ସମ୍ପୂର୍ଣ୍ଣ ନବକଳେବର କରାଯାଉଥିବା ବେଳେ ,ଆସନ୍ତା ଦଶ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।