ଆଜି ବାରବାଟୀ ଟକ୍କର ! ଖେଳ ଦେଖିବାକୁ ଯାଉଛନ୍ତି କି ? ଏହି ନିୟମ ନ ମାନିଲେ ଅଟକାଇଦେବ ପୋଲିସ
କଟକ : ଆଜି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେଣୁ ଆଇନ ଶୃଙ୍ଖଳା ପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି କଟକ କମିସନରେଟ ପୋଲିସ । କ୍ରିକେଟ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକମାନେ ଶାନ୍ତି ଶୃଙ୍ଖଳାର ସହ ଷ୍ଟାଡିୟମ ଭିତରେ ପ୍ରବେଶ କରିବେ ସେଥିପାଇଁ ଷ୍ଟାଡିୟମର ପ୍ରତ୍ୟେକ ଦ୍ୱାର ଅପରାହ୍ନ ୩ଟାରେ ଠାରୁ ଖୋଲିଯିବ । ତେବେ ଦର୍ଶକ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ଦର୍ଶକ କେଉଁ ଗେଟରୁ ପ୍ରବେଶ କରିବେ ତାହା ଟିକେଟରେ ସ୍ପଷ୍ଟ ଭାବେ ଲେଖା ହୋଇଛି । ଦର୍ଶକ ମାନଙ୍କ ପାଇଁ ଓସିଏ ତରଫରୁ ଷ୍ଟାଡିୟମ ଭିତରେ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ତା କରାଯାଇଛି । ଓସିଏ ତରଫରୁ ଦର୍ଶକ ମାନଙ୍କ ପାଇଁ ଦେୟଯୁକ୍ତ ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଦର୍ଶକ ଷ୍ଟାଡିୟମ ଭିତରକୁ ପ୍ରବେଶ କଲାବେଳେ ଯାଞ୍ଚ କରାଯିବ ।
ପ୍ରତ୍ୟେକ ଦର୍ଶକ ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସିଟ ରେ ବସିବେ । ଟିକେଟ ପଛରେ ଲେଖା ଥିବା ନିୟମ ପାଳନ କରିବେ । ଟିକେଟ ଜାଲିଆତି କିମ୍ବା ବେଆଇନ କାର୍ୟ୍ୟକୁ ବରଦାସ୍ତ କରାଯିବ ନାହିଁ । ଏପରି କାମ କଲେ ଆଇନ ଅନୁସାରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାନବାହନ ଆଣି ଆସୁଥିବା ଦର୍ଶକ ମାନେ ଉଦ୍ଦିଷ୍ଟ ପାର୍କିଂ ସ୍ଥାନରେ ଯାନବାହାନ ପାର୍କିଂ କରିବେ । ଦୁଇ ଚକିଆ ଯାନରେ ଆସୁଥିବା ଦର୍ଶକମାନେ ସେମାନଙ୍କର ହେଲମେଟ ନିଜ ହେପାଜତରେ ରଖି ଷ୍ଟାଡିୟମ ଭିତରକୁ ଆସିବେ । ଷ୍ଟାଡିୟମ ଭିତରକୁ କୌଣସି ପ୍ରକାରର ବିସ୍ଫୋରକ ସାମଗ୍ରୀ, ଲାଠି, ବୋତଲ, ବ୍ୟାନର, ଧାତବ ସାମଗ୍ରୀ, ରେଡ଼ିଓ, କାଚ ବୋତଲ , ସିଗାରେଟ, ବିଡି, ଦିଆସିଲ ଲାଇଟର, ହେଲମେଟ, ପାଣି ବୋତଲ, ପାଣି ପାଉଚ, ଖୁଚୁରା ପଇସା ଛଡାଯିବ ନାହିଁ । କୌଣସି ପରିସ୍ଥିତିରେ କୌଣସି ଦର୍ଶକ ଷ୍ଟାଡିୟମ ଭିତରକୁ କିମ୍ବା କ୍ରିକେଟ ଖେଳାଳି ଙ୍କ ଉପରକୁ କୌଣସି ସାମଗ୍ରୀ ଫିଙ୍ଗି ପାରିବେ ନାହିଁ । ଏ ପରି କାର୍ୟ୍ୟ କଲେ ସମ୍ପୃକ୍ତ ଦର୍ଶକଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ।
ଦର୍ଶକ କେବଳ ସାଥିରେ କେବଳ ବୈଧ ଟିକେଟ ନେଇ ଭିତରକୁ ଯାଇପାରିବେ । ଷ୍ଟାଡିୟମ ଭିତର ଓ ବାହାରର ସମସ୍ତ କାର୍ୟ୍ୟ ସିସିଟିଭି ଜରିଆରେ ନଜର ରଖାଯାଇଅଛି । ଏଣୁ କୌଣସି ଦର୍ଶକ କୌଣସି ବେଆଇନ କାର୍ୟ୍ୟ ନକରିବା ପାଇଁ ଅନୁରୋଧ କରାଯାଉଛି । ଷ୍ଟାଡିୟମ ଭିତରେ କୌଣସି ପ୍ରକାରର ବିଶୃଙ୍ଖଳିତ କାର୍ୟ୍ୟକ୍ରମକୁ ବରଦାସ୍ତ କରାଯିବ ନାହିଁ । ଏହା ସହ ଦ୍ୱିତୀୟ ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ ମ୍ୟାଚକୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପାଦନ କରିବା ନିମନ୍ତେ ବ୍ୟାପ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମରେ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଏସିପି ମୁତୟନ ହେବେ । ୪୫ ଜଣ ଇନ୍ସପେକ୍ଟର, ୨୭୦ ସବଇନ୍ସପେକ୍ଟର ମୁତୟନ ହେବେ । ଅପରାହ୍ନ ୩ଟାରେ ଦର୍ଶକଙ୍କ ପାଇଁ ଖୋଲିବ ଷ୍ଟାଡିୟମ ଗେଟ୍ ଓଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡିଆରେ ବ୍ୟବସ୍ଥା କରାଯାଇଛି ।