ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର : ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ । ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନିତ କରାଯାଇଛି । ପ୍ରଥମ ଭାଷା ଓଡ଼ିଆର ଉଭୟ ନବମ ଓ ଦଶମରେ ପଢ଼ାଯିବ । ଏଥିନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରପକ୍ଷରେ ଏହି ନିଷ୍ପତିକୁ ଉତ୍କଳ ସମ୍ମିଳନୀ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି ।
ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିଥିବାରୁ ଉତ୍କଳ ସମ୍ମିଳନୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛି । ପାଠ୍ୟକ୍ରମରେ ମୁଖ୍ୟତଃ ନବମ ଓ ଦଶମ ଶ୍ରେଣୀ ସିଲାବସରେ ରାଜ୍ୟ ସଂଗୀତକୁ ସ୍ଥାନିତ କରି ରାଜ୍ୟ ସରକାର ଆଉ ଏକ ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି ବୋଲି ଉତ୍କଳ ସମ୍ମିଳନୀ ମଂଚେଶ୍ୱର ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଗତ ବର୍ଷ ଏହି ଜୁନ୍ ମାସରେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ ।