ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡ଼ ; ମୁଖ୍ୟ ସମସ୍ୟା ପିଇବା ପାଣି

ବାଲେଶ୍ୱର : ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡ଼ । ଯେଉଁଠି ରାତି ପାହିଲେ ଆରମ୍ଭ ହୁଏ ପିଇବା ପାଣି ଚିନ୍ତା । ପାଇପ୍ ପାଣି ସୁବିଧା ଅଛି, ହେଲେ ବ୍ୟବହାର ଉପଯୋଗୀ ନୁହେଁ । ଅଧିକାଂଶ ସମୟରେ ଗୋଳିଆ ପାଣି ଆସୁଛି । ସକାଳ ପାଣି ସନ୍ଧ୍ୟାକୁ ନାଲି ହୋଇଯାଉଛି । ଏମିତିକି ଗୋଟିଏ ଦିନ ଯଦି ପାଣି ରହିଯାଉଛି, ତଳେ ମେଣ୍ଡା ମେଣ୍ଡା ହୋଇ ବସିଯାଉଛି । ଯାହାକୁ ଆଦୌ ପିଇବା ସମ୍ଭବ ନୁହେଁ । ଅଞ୍ଚଳର ଥିବା ଗୋଟିଏ ନଳକୂଅ ଉପରେ ଲୋକେ ନିର୍ଭର କରୁଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହିଁ । ଫଳରେ ପାଣି ସମସ୍ୟା ଦୂର କଲେ ପୌର ନିର୍ବାଚନରେ ପ୍ରାର୍ଥୀ ଭୋଟ୍ ପାଇବାର ଜିଦ୍ଦି ଧରି ବସିଛନ୍ତି ୱାର୍ଡ଼ବାସୀ ।
ପୌରାଞ୍ଚଳର ୨ନଂ. ୱାର୍ଡ଼ ବଡ଼ଖୁଆ, ଚାନ୍ଦିପୁର ରୋଡ, ପାତ୍ରପଡ଼ା, ବଡ଼ଖୁଆ ଲେନ, ସୁନହଟ, ରେଜାଉଲ୍ଲାଳେନ (ଆଂଶିକ)କୁ ନେଇ ଗଠି । ଏଠାରେ ୪୭୮ ପରିବାରର ୨୯୮୧ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୧୪୪୨ ମହିଳା ଓ ୧୫୩୯ ପୁରୁଷ ଭୋଟର । ୱାର୍ଡ଼ର ମୁଖ୍ୟ ସମସ୍ୟା ହେଲା ପାଣି । ପାଣି ପାଇଁ ବଡ଼ଖୁଆ, ପାଞ୍ଚକୁଡ଼ିଆ ବସ୍ତି, ମଲ୍ଲିକ ସାହି, ପାତ୍ରପଡ଼ା, ମୁନିସାହି, ମହମ୍ମଦପୁର ଆଦି ଅଞ୍ଚଳର ଲୋକ ଗୋଟିଏ ନଳକୁଅ ଉପରେ ନିର୍ଭର କରିଥାନ୍ତି । ଏତେ ଲୋକ ଗୋଟିଏ ନଳକୂଅ ଉପରେ ନିର୍ଭର କରୁଥିବାରୁ ଅନ୍ୟଦିନ ଅପେକ୍ଷା ଖରାଦିନରେ ଅଞ୍ଚଳବାସୀଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିପରି ବହୁ ସମୟରେ ନଳକୂଅରୁ ବି ପାଣି ଅଧିକ ବାହାରୁ ନାହିଁ । ଅନ୍ୟପକ୍ଷରେ ଅଞ୍ଚଳର ଏକମାତ୍ର ପୋଖରୀ ରହିଥିବା ବେଳେ ଏହାର ପୁନଃରୁଦ୍ଧାର ହେଉନଥିବାରୁ ଏହା ମଧ୍ୟ ପୋତିବାକୁ ବସିଲାଣି । ଅଧିକାଂଶ ସ୍ଥାନରେ ଡ୍ରେନ୍ର ସୁବିଧା ନାହିଁ । ଯେଉଁଠି ବି ଡ୍ରେନ୍ ରହିଛି ସେଗୁଡିକ ସଫା କରାଯାଉ ନାହିଁ । ପାନୀୟ ଜଳ ପାଇଁ ୱାର୍ଡ଼କୁ ଆସିଥିବା ପାଣି ପାଇପ୍ ଫାଟି ପାଣି ବୋହି ନଷ୍ଟ ହୋଇଯାଉଛି । ଏ ବାବଦରେ ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟା ଦୂର ହୋଇ ନାହିଁ ବୋଲି ୱାର୍ଡ଼ବାସୀ ଅଭିଯୋଗ କରିଛନ୍ତି ।