ବାଲେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର : ବାଲେଶ୍ୱର ଷ୍ଟେସନ କ୍ଲବ ପରିସରରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଟାଟାପାୱାର ଉତ୍ତର ଓଡ଼ିଶା ଶାଖା ଅନୁବନ୍ଧିତ ବିଜୁୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର କ୍ଷେତ୍ରୀୟ ସାଂଗଠନିକ ସମ୍ପାଦକ ବଟକୃଷ୍ଣ ଜେନା ପୌରହିତ୍ୱ କରିବା ସହିତ ବୈଠକର ଆଭିମୁଖ୍ୟ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ମହାସଂଘର ଟାଟା ପାୱାର ଉତ୍ତର ଓଡ଼ିଶା ଶାଖା କ୍ଷେତ୍ରୀୟ ସମ୍ପାଦକ ହରିଶ ଚନ୍ଦ୍ର ଦାସ ଉପସ୍ଥିତ ରହି ସଂଗଠନର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ।
ମୁଖ୍ୟଅତିଥି ଭାବେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ଅମର କୁମାର ପ୍ରତାପସିଂହ ଯୋଗଦେଇ ଦୀର୍ଘ ଦିନ ଧରି ତୃଣମୂଳସ୍ତରରୁ ମିଟର ରିଡ଼ିଂ ଠାରୁ ଆରମ୍ଭ କରି ୨୪ ଘଣ୍ଟିଆ ବିଦ୍ୟୁତ୍ ସରବରାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଜାରି ରଖିଥିବା ସତ୍ତ୍ୱେ ଦରମାର ତାରତମ୍ୟ ଦୂରୀକରଣରେ ଟାଟାପାୱାର କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପର ଠାରୁ ଅଧିକାରୀସ୍ତରରେ ସଂଖ୍ୟାଧିକ ନିଯୁକ୍ତି ହୋଇଥିବା ବେଳେ ନୂତନ ଶ୍ରମିକ ଓ କର୍ମଚାରୀଙ୍କ ଆଦୌ ନିଯୁକ୍ତି ନ ହେବା ବାସ୍ତବିକ ଦୁର୍ଭାଗ୍ୟର ବିଷୟ । ଏସବୁକୁ ବିରୋଧ କରି ଟାଟାପାୱାର ବିରୋଧରେ ଆନ୍ଦୋଳନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ମହାସଂଘର ସହ-ସମ୍ପାଦକ ପ୍ରିୟବ୍ରତ ନାୟକ ଯୋଗଦେଇ ବର୍ଦ୍ଧିତ ଗ୍ରାହକ ସଂଖ୍ୟା ଅନୁପାତରେ ନୂତନ ନିଯୁକ୍ତି ପରିବର୍ତ୍ତେ ଶ୍ରମିକ ଓ କର୍ମଚାରୀଙ୍କ ଛଟେଇ ପାଇଁ ଟାଟାପାୱାର କର୍ତ୍ତୃପକ୍ଷଙ୍କ ଯୋଜନାକୁ ଦୃଢ଼ ବିରୋଧ ପାଇଁ ଆହ୍ୱାନ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଟାଟା ପାୱାର ବିରୋଧରେ ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ । କ୍ଷେତ୍ରୀୟ ସହ-ସମ୍ପାଦକ ପ୍ରଦୀପ କୁମାର ଦାସ, ମହାସଂଘର ଯାଜପୁର ସର୍କଲ ସଂଗଠନିକ ସମ୍ପାଦକ ଗୋକୁଳାନନ୍ଦ ମହାପାତ୍ର, ଯାଜପୁର ସର୍କଲ ସମ୍ପାଦକ ବିପ୍ଳବ କେଶରୀ ସାମନ୍ତରାୟ, ମହାସଂଘର ଟାଟା ପାୱାର ଉତ୍ତର ଓଡ଼ିଶା ଶାଖା ମିଡ଼ିଆ ସେଲ ସମ୍ପାଦକ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷ ଅତିଥିଭାବେ ନିଗମାନନ୍ଦ ରାଉତ ଓ ମାନସ ରଞ୍ଜନ ନାୟକ ଯୋଗଦେଇ ଟାଟା ପାୱାର ଉତ୍ତର ଓଡ଼ିଶା ଶାଖା ଅଧୀନରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମହାସଂଘ ପକ୍ଷରୁ ବିଭିନ୍ନ ଜିଲାର ସାଂଗଠନିକ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବାଲେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନର ସାଂଗଠନିକ ସମ୍ପାଦକ ରତି ରଞ୍ଜନ ରାଉତ, କେନ୍ଦ୍ରୀୟ ଇଲେକ୍ଟ୍ରିକାଲ ଡିଭିଜନର ସାଂଗଠନିକ ସମ୍ପାଦକ ରାଜୀବ ଲୋଚନ ରାଉତ, ସର୍କଲ ସାଂଗଠନିକ ସମ୍ପାଦକ ସୋମଜିତ ମହାନ୍ତି ଓ ସମ୍ପାଦକ ପ୍ରଦୀପ କୁମାର ଦାସ, ଏମ୍ଆର୍ଟି ଡିଭିଜନାଲ ସମ୍ପାଦକ ମାନସ ସାହୁ, ମହାସଂଘର ଟାଟା ପାୱାର ଉତ୍ତର ଓଡ଼ିଶା ଶାଖା କାର୍ଯ୍ୟାଳୟ ସମ୍ପାଦକ ମାନସ ରାଉଳ, କେନ୍ଦୁଝର ଇଲେକ୍ଟ୍ରିକାଲ ଡିଭିଜନର ସମ୍ପାଦକ ଅମରେଶ ଘୋଷ ପ୍ରମୁଖ ଉପସ୍ଥିତ ରହି ବୈଠକର ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।