ବାଲେଶ୍ୱର : ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ବାଲେଶ୍ୱର ଜିଲା ଜିଲା ଜଜ୍ ଭଗବାନ ପ୍ରଧାନ ଶନିବାର ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୫ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ରାୟରେ ଶୁଣାଣି କରିଛନ୍ତି ।
ସୂଚନା ଯେ, ଗତ ୨୦୧୬ ମସିହା ଜୁଲାଇ ୨୦ ତାରିଖରେ ଖନ୍ତାପଡ଼ା ଥାନା ଅଧୀନ ମାଣକାହାଣୀ ଗ୍ରାମରେ ଯଦୁନାଥ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କୁ ଯୌତୁକ ନିର୍ଯାତନା ଦେବାସହ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା । ଏନେଇ ସୁକାନ୍ତିଙ୍କ ଭାଇ ତଥା ସୋର ଥାନା ଅଠିଳାବାଜ ଗ୍ରାମର ମୁକ୍ତିକାନ୍ତ ଦାସ ଭଉଣୀର ମୃତ୍ୟୁନେଇ ସ୍ୱାମୀ ଜଗନ୍ନାଥ ନାୟକ, ଶ୍ୱଶୁର ଜଳଧର ନାୟକ, ଶାଶୁ ସରସ୍ୱତୀ ନାୟକଙ୍କ ସମେତ ପରିବାରର ୫ ଜଣଙ୍କ ବିରୋଧରେ ଖନ୍ତାପଡ଼ା ଥାନାରେ ଏତଲା ଦେଇଥିଲେ । ଥାନା ପକ୍ଷରୁ ମାମଲା ନମ୍ବର ୩୧୦/୧୬ ମାମଲା ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତ ସୁକାନ୍ତିର ସ୍ୱାମୀ ଯଦୁନାଥ ନାୟକ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା । ଏହାପରେ ଖନ୍ତାପଡ଼ା ଥାନା ମାମଲା ୩୧୦/୧୬ ଓ ଏସଟି ୧୫/୧୭ ମାମଲା ମାନ୍ୟବର ଜିଲା ଜଜ୍ଙ୍କ ଅଦାଲତରେ ବିଚାରାଧୀନ ଥିଲା । ଶନିବାର ପୂର୍ବାହ୍ନରେ ମାନ୍ୟବର ଜିଲା ଜଜ୍ ଶ୍ରୀ ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଯଦୁନାଥଙ୍କୁ ଧାରା ୩୦୨ରେ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ଏହି ମାମଲା ପରିଚାଳନା କରୁଥିଲେ ।