ବାଲେଶ୍ୱର : ପେଟ୍ରୋଲ ବଦଳରେ ପାଣି, କ୍ଷତିପୂରଣ ଦାବିରେ ଗ୍ରାହକଙ୍କ ଉତ୍ତେଜନା
ରେମୁଣା : ବାଲେଶ୍ୱର ଜିଲା ରେମୁଣା କଲେଜ୍ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ପାଣି । ଏନେଇ ଗ୍ରାହକମାନେ ଜାଣିବା ପରେ ପେଟ୍ରୋଲ ପମ୍ପ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପରିକି ଗ୍ରାହକମାନେ ପେଟ୍ରୋଲ ବଦଳରେ ପାଣି ପଡ଼ିବା ଯୋଗୁଁ ସେମାନଙ୍କ ମୋଟରସାଇକେଲ ଖରାପ ହୋଇଯାଇଥିବାର ଅଭିଯୋଗ ଆଣି କ୍ଷତିପୂରଣ ଦାବି କରିଥିଲେ ।
ସୂଚନା ଯେ, ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସି ହଟହଟା ହେଲେ ଗ୍ରାହକ । କାରଣ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରିଥିଲା ପାଣି । ଯାହାକୁ ନେଇ ପେଟ୍ରୋଲ ପମ୍ପ ଆଗରେ ଗ୍ରାହକମାନେ ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହଁ ଏହି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇବା ପରେ ଜଣେ ନୁହଁ କି ଦୁଇ ଜଣ ନୁହଁ, ୮ ଜଣ ଗ୍ରାହକଙ୍କ ମୋଟର ସାଇକେଲ ଇଞ୍ଜିନ ଖରାପ ହୋଇଯାଇଛି । ପମ୍ପରୁ ତେଲ ବଦଳରେ ପାଣି ବାହାରୁଥିବା ଅଭିଯୋଗ ହେବା ପରେ ପେଟ୍ରୋଲ ପମ୍ପ ମାଲିକ ପମ୍ପକୁ ବନ୍ଦ୍ କରିଛନ୍ତି । ଏତିକିରେ କଥା ସରି ନଥିଲା ପେଟ୍ରୋଲ ପକାଇଥିବା ଗ୍ରାହକ ମାନେ ଦୀର୍ଘ ସମୟ ଧରି ପେଟ୍ରୋଲ ପମ୍ପ କାର୍ଯ୍ୟାଳୟ ଆଗରେ ଉତ୍ତେଜନା ଜାରି ରଖିଥିବା ବେଳେ ପମ୍ପ ମାଲିକ କାର୍ଯ୍ୟାଳୟ ଭିତରୁ ବାହାରକୁ ଆସିନଥିଲେ । ଅନ୍ୟପଟେ ଗ୍ରାହକ ମାନେ ମୋଟର ସାଇକେଲ ଖରାପ ଦର୍ଶାଇ କ୍ଷତିପୂରଣ ପାଇଁ ଅଡ଼ି ବସିଥିବା ଦେଖିବାକୁ ମିଳିଥିଲା ।