ବାଲେଶ୍ୱର : ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ଅରୁଣ ଦେଙ୍କ ପରଲୋକ
ବାଲେଶ୍ୱର : ବାଲେଶ୍ୱର ଜିଲାର ପୂର୍ବତନ ବିଧାୟକ ତଥା ବର୍ଷିୟାନ ରାଜନେତା ଅରୁଣ ଦେ (୭୫)ଙ୍କ ପରଲୋକ । କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଥିବା ନେଇ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।
ଶ୍ରୀ ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୋଭିଡ୍ ଟେଷ୍ଟ କରାଯାଇଥିଲା । ଗତ ଜୁଲାଇ ୯ ତାରିଖରେ ତାଙ୍କର କୋଭିଡ୍ ପଜିଟିଭ୍ ବାହାରିଥିଲା । ତାଙ୍କର ଅକ୍ସିଜେନ୍ ଲେଭଲ୍ କମିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଳା । ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ତା ଭଲ ହୋଇଆସିଥିଲା । ମାତ୍ର ସୋମବାର ମଧ୍ୟାହ୍ନ ୨ଟା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇଥିବା ବେଳେ ଅପରାହ୍ନରେ ଦେହାନ୍ତ ଘଟିଥିଲା । ସେ ପୂର୍ବରୁ ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ଜଣେ ବରିଷ୍ଠ ନେତାଙ୍କୁ ହରାଇ ଜିଲାରେ ଶୋକର ଛାୟା ଖେଳିଯାଇଛି । ଏନେଇ ବହୁ ନେତା, କର୍ମୀ, ଶ୍ରମିକ ନେତା, ଶ୍ରମିକ ଓ ସାଧାରଣ ଲୋକେ ଶୋକବ୍ୟକ୍ତ କରିଛନ୍ତି ।
ସୂଚନା ଯେ, ଅରୁଣ ଦେଙ୍କୁ ବର୍ତ୍ତମାନ ୭୫ ବର୍ଷ ହୋଇଥିବା ବେଳେ ସେ ଓଡ଼ିଶା ବିଧାନସଭାକୁ ୫ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଶ୍ରୀ ଦେ ୧୯୭୧ ମସିହାରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇଥିଲେ ଏବଂ ୧୯୯୪ ମସିହା ଯାଏଁ ସେ ଏହି ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ୧୯୭୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ଶ୍ରୀ ଦେ ସିପିଆଇର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହା ଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ପୁନର୍ବାର ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୮୦, ୧୯୯୦ ମସିହାରେ ସିପିଆଇର ପ୍ରାର୍ଥୀ ଭାବରେ, ୧୯୯୫ ମସିହାରେ ସ୍ୱାଧୀନ ଭାବରେ ଏବଂ ୨୦୦୪ ମସିହାରେ ଓଡ଼ିଶା ଗଣ ପରିଷଦର ପ୍ରାର୍ଥୀ ଭାବରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ପ୍ରଥମ ରାଜନୀତି ଜୀବନରେ ୧୯୭୫ ମସିହାରେ ଶ୍ରମିକମାନଙ୍କର ସମସ୍ୟାକୁ ସମାଧାନ କରିବା ବିଭିନ୍ନ ଶ୍ରମିକ ସଙ୍ଗଠନକୁ ଏକତ୍ର କରି ଟ୍ରେଡ୍ ୟୁନିଅନ୍ କୋର୍ଡ଼ିନେସନ୍ କମିଟି ଗଠନ କରିଥିଲେ ଏବଂ ପ୍ରତିଷ୍ଠାତା ସଭାପତି ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଶ୍ରମିକମାନଙ୍କର ଅନେକ ସମସ୍ୟାକୁ ସମାଧାନ କରିବାରେ ସଫଳତା ପାଇଥିଲେ । ବିର୍ଲା ଟାୟାର୍ସ ଶ୍ରମିକ ସଙ୍ଗଠନ, ପାୱାର ଏମ୍ପେ୍ଲାଇଜ ୟୁନିଅନ୍, ଉଠା ଜଳସେଚନ କର୍ମଚାରୀ ସଂଘମାନଙ୍କରେ ସଭାପତି ସହ ରାଜ୍ୟ ଫେଡ଼େରେସନ୍ର ଉପଦେଷ୍ଟା ଭାବେ କାମ କରି ଶ୍ରମକମାନଙ୍କୁ ବହୁ ସଫଳତା ଆଣିଦେଇଥିଲେ । ଅଦ୍ୟାବଧି ରୂପ୍ସା ଝୋଟ କଳ ଶ୍ରମିକ ସଙ୍ଗଠନର ସଭାପତି, ବାଲେଶ୍ୱର ରିକ୍ସା ଚାଳକ ସଂଘର ସଭାପତି ସମେତ ବହୁ ଶ୍ରମିକ ସଙ୍ଗଠନ ଦାୟିତ୍ୱରେ ମଧ୍ୟ ଥିଲେ । ତାଙ୍କର ଦେହାନ୍ତ ବାଲେଶ୍ୱର ଜିଲା ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି ।