ବାଲେଶ୍ୱର : ଜାତୀୟ ରାଜପଥ ପାର୍ଶ୍ୱରେ ନିର୍ମାଣ ହେବ ଟ୍ରକ୍ ଟର୍ମିନାଲ, ବିସ୍ଥାପିତଙ୍କୁ କରାଯିବ ଥଇଥାନ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ଟ୍ରକ୍ ଟର୍ମିନାଲ ହେବା ନେଇ ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ସ୍ଥାନ ନିରୂପଣ ହୋଇଛି । ଏଥିପାଇଁ ରେମୁଣା ତହସିଲର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ବାରୁଣୀ ପୋଲ ନିକଟରେ ୪.୯୪ ଏକର ଜାଗା ଚିହ୍ନଟ ହୋଇଛି । ପୂର୍ବରୁ ଉକ୍ତ ଜାଗାରେ ହାଟ ବସୁଥିଲା । ପାଖରେ ୧୦/୧୨ ପରିବାର ବାସବାସ କରୁଥିଲେ । ଯେଉଁମାନେ ଆଖପାଖ ଇଟାଭାଟି ବା ଅନ୍ୟ ସ୍ଥାନରେ କାମ କରି ଜୀବୀକା ନିର୍ବାହ କରୁଛନ୍ତି । ସେଠାରେ ବସୁଥିବା ହାଟକୁ ଟର୍ମିନାଲ ନିକଟରେ ଥିବା ଅନ୍ୟ ୫୦ଡିସିମିଲ ଜାଗାକୁ ସ୍ଥାନାନ୍ତର କରାଯିବ । ସେଠାରେ ଆଧୁନିକ ପ୍ରଣାଳୀରେ ଛାତ ନିର୍ମାଣ ହେବ ଏବଂ ପ୍ରତ୍ୟେକ ସମୟରେ କ୍ରେତା ଓ ବିକ୍ରେତାଙ୍କୁ ସୁବିଧା ହେବା ଭଳି ବ୍ୟବସ୍ଥା ରହିବ । ଅପରପକ୍ଷରେ ସେହି ସ୍ଥାନରେ ରହୁଥିବା ପରିବାର ଯେଉଁମାନେ ପଲିଥିନ୍ ଆଦି ଖାଞ୍ôଚ ରହୁଥିଲେ, ବିସ୍ଥାପିତ ପରେ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବ ବୋଲି ବିଧାୟକ ସୁଧାଂଶୁ ଶେଖର ପରିଡ଼ା ରବିବାର ପ୍ରଶାସନ ସହ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ବିଡିଓ ଛବିରାଣୀ ସାହୁ, ତହସିଲଦାର ସୀତାଂଶୁ ଶେଖର ଦାସ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା, ଦହପଡ଼ା ସରପଞ୍ଚ ପ୍ରଣତି ଜେନା, ସମିତିସଭ୍ୟ ରବିନ କୁମାର ପ୍ରଧାନ, ପଞ୍ଚାୟତ ବିଜେଡି ସଭାପତି ସୁଦର୍ଶନ ବେହେରା, ବିଜେଡି ଜିଲା ଯୁବ ସମ୍ପାଦକ ମନୋରଞ୍ଜନ ଦାସ, ବିଜେଡି ପଞ୍ଚାୟତ ଯୁବ ସଭାପତି ସେକ ଅବଦୁଲ ରେହେମାନ୍ ଏବଂ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।
ସୂଚନା ଯେ, ରାଜପଥ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଟ୍ରକ୍ ଛିଡ଼ା ହେବା ଯୋଗୁଁ ଯାତାୟାତ ସମସ୍ୟା ସହ ଦୁର୍ଘଟଣା ଆଦି ଘଟୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ । ଟ୍ରକ୍ ଟର୍ମିନାଲ ହେବା ପରେ ସେଠାରେ ଟ୍ରକ୍ଗୁଡ଼ିକ ଛିଡ଼ା ହେବା ପାଇଁ ପର୍ଯ୍ୟାପ୍ତ ସୁବିଧା ମିଳିବ ବୋଲି ଆଶା କରାଯାଉଛି ।