ବାଲେଶ୍ୱର : ସରିଲା ଦୁଇ ଦିବସୀୟ ପଦଯାତ୍ରା, ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଗତ ବୁଧବାର ମୟୁରଭଞ୍ଜ ସୀମାନ୍ତ ଝରଣଘାଟି ଠାରୁ ଐତିହାସିକ ପଦଯାତ୍ରା ଆରମ୍ଭ କରି ସଜନାଗଡ଼ରେ ରାତ୍ରି ଯାପନ ପରେ ଗୁରୁବାର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ସଜନାଗଡ଼ର ମା’ ଭୁଦାରଚଣ୍ଡୀ ପୀଠରୁ ବାହାରି ବିରାଟ ପଦଯାତ୍ରାରେ ନୀଳଗିରି ଉପଜିଲାପାଳଙ୍କ ଠାରେ ପହଞ୍ôଚ ୫ଦଫା ସମ୍ବଳିତ ଦାବି ପତ୍ର ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
ବିଗତ ୩ ପୁରୁଷରୁ ଉର୍ଦ୍ଧ୍ୱ ସମୟ ଧରି ବସବାସ କରୁଥିବା ଭୂମିହୀନ ଆଦିବାସୀମାନଙ୍କ ପାଇଁ ଘରଡ଼ିହ ପଟ୍ଟା, ଚାଷଜମି ପଟ୍ଟା, ଦଳିତ ପଛୁଆ ବର୍ଗ ସହିତ ଅନ୍ୟ ବର୍ଗର ଭୂମିହୀନ ମାନଙ୍କୁ ପଟ୍ଟା, ନୀଳଗିରି ଉପଖଣ୍ଡରେ ସ୍ୱତନ୍ତ୍ର ସେଲ୍ ଗଠନ କରି ଭୂମି ହୀନମାନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ ତ୍ୱରାନ୍ୱିତ କରିବା, ବର୍ଷା ଅଭାବରୁ ଫସଲ ହାନୀ କାରଣରୁ ନୀଳଗିରି ଅଞ୍ଚଳକୁ ସମ୍ପୂର୍ଣ ମରୁଡ଼ି ଘୋଷଣା କରିବା ସହିତ ଚାଷୀଙ୍କୁ ଇନ୍ସୁରାନ୍ସ, ଇନପୁଟ୍ ସବ୍ସିଡ଼ି ଯୋଗାଇ ଦେବା ସହିତ ଚାଷ ଋଣ ସମ୍ପୂର୍ଣ ଛାଡ଼ କରିବା, ନୀଳଗିରିରେ ଜଳ ସେଚନର ବ୍ୟାପକ ବ୍ୟବସ୍ଥା କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦ ଧାର୍ଯ୍ୟ କରାଯାଉ ଭଳି ଦାବି ପତ୍ରରେ ଉଲ୍ଲେଖ ରହିଛି । ପଦଯାତ୍ରାକୁ ଉତ୍ସାହିତ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଅଭୟ କୁମାର ସାହୁ, ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ସାମିଲ ହୋଇଥିଲେ । ଜିଲା ସମ୍ପାଦକ ନିରଞ୍ଜନ ବାରିକ, ବର୍ଷିଆନ ନେତା କୈଳାଶ ଚନ୍ଦ୍ର ପଣ୍ଡା, ବୟୋଜଷ୍ଠ ନେତା କରୁଣା କର ପରିଡା, ଅନାମ ବାରିକ, ବିଜୟ ସ, ପୁରୁଷୋତ୍ତମ ସେଠି, ନିହାର ରଞ୍ଜନ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।