ବାଲେଶ୍ୱର : କାଗଜ ପେଟିରୁ ନବଜାତ ଶିଶୁର ମୃତଦେହ ଜବଦ, ପୋଲିସ ତଦନ୍ତ ଆରମ୍ଭ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା-ବାଲିଆପାଳ ରାସ୍ତାର ପେଜଗଳା ପୋଲ ନିକଟରେ ସୋମବାର ଏକ କାଗଜ ପେଟି ଭିତରେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେଉଁ ପରିସ୍ଥିତିରେ ଏହି ଶିଶୁକୁ ଏଠାରେ କିଏ ପକାଇଛି ତାହା ଜଣା ପଡ଼ିନାହିଁ । ମୃତ ପିଲା ଜନ୍ମ ହେବା ପରେ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ସାଧାରଣତଃ ଶିଶୁର ମୃତ୍ୟୁ ହେଲେ ଗାତ ଖୋଳି ପୋତି ଦିଆ ଯାଇଥାଏ । କିନ୍ତୁ ଏହି ଶିଶୁକୁ ନ ପୋତି କାହିଁକି ଏଠାରେ ଏମିତି କାଗଜପେଟି ଭିତରେ ରଖି ଫିଙ୍ଗି ଦିଆଯାଇଛି ତାହା ସମସ୍ତଙ୍କୁ ଚକିତ କରିଛି । ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ବୋଲି ମଧ୍ୟ ସନ୍ଦେହ କରାଯାଇଛି ।
ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ କାଗଜ ପେଟି ଭିତରେ ଶିଶୁଟିକୁ ରଖି ଜୀବନ୍ତ କିମ୍ବା ମୃତ ଅବସ୍ଥାରେ ପକାଇଥିବା ବ୍ୟକ୍ତି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।