ବାଲେଶ୍ୱର : ୨୯ରେ ପାଳନ ହେବ ସ୍ୱର୍ଗତ ବନମାଳୀ ଦାସଙ୍କ ୧୦୬ ତମ ଜନ୍ମଜୟନ୍ତୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ସହରରେ ଥିବା ସିପିଆଇଏମ୍ ଅଫିସ୍ ପରିସରରେ କମ୍ରେଡ ବନମାଳୀ ଦାସ ସ୍ମୃତି କମିଟି ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା । କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଯୋଗଦେଇ ସ୍ୱର୍ଗତ ବନମାଳୀ ଦାସଙ୍କ ୧୦୬ତମ ଜନ୍ମବାର୍ଷିକୀ ଆସନ୍ତା ଅଗଷ୍ଟ ୨୯ତାରିଖ ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।
କମିଟିର ସମ୍ପାଦକ ବିଜୟ ପାତ୍ର ଯୋଗଦେଇ ଆମ ଦେଶ ସ୍ୱାଧୀନତା ହାସଲ କରିବାର ପରବର୍ତ୍ତୀ ପର୍ଯ୍ୟାୟରେ ଘଟିଥିବା ପ୍ରମୁଖ ଐତିହାସିକ ଘଟଣାଟି ହେଉଛି ଗଡ଼ଜାତ ମିଶ୍ରଣ । ଏହି ଗଡ଼ଜାତ ମିଶ୍ରଣର ପର୍ବ ଆରମ୍ଭ ହୋଇଥିଲା ଓଡ଼ିଶା ମାଟିରୁ । ନୀଳଗିରି ହେଉଛି ଦେଶର ପ୍ରଥମ ଗଡ଼ଜାତ ଯେଉଁଠି ରାଜତନ୍ତ୍ରର ଧ୍ୱଜା ଧରାଶାୟୀ ହୋଇଥିଲା ଓ ରାଜା ସ୍ୱାକ୍ଷର କରିଥିଲେ ଦେଶ ମିଶ୍ରଣ ଚୁକ୍ତିରେ । ନୀଳଗିରିର ପ୍ରଜା ଆନ୍ଦୋଳନ ହେଉଛି ଏହି ଗୌରବମୟ ଇତିହାସର ସ୍ରଷ୍ଟା ଓ ବନମାଳୀ ଦାସ ହେଉଛନ୍ତି ପ୍ରଜା ଆନ୍ଦୋଳନର ଅଦ୍ୱିତୀୟ ନେତା । ବନମାଳୀ ଦାସ କେବଳ ପ୍ରଜା ଆନ୍ଦୋଳନର କିମ୍ବଦନ୍ତୀ ନେତା ନଥିଲେ, ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ଜଣେ ଆଗଧାଡ଼ିର କମ୍ୟୁନିଷ୍ଟ ନେତା । କମ୍ରେଡ ବନମାଳୀ ଦାସ ସ୍ମୃତିକମିଟି ଆନୁକୁଲ୍ୟରେ ଅନୁଷ୍ଠିତ ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ସିପିଆଇଏମ୍ ନେତା ଜନାର୍ଦ୍ଦନ ପତି, ସିପିିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ ପ୍ରମୁଖ ଉପସ୍ଥିତ ରହି ତାଙ୍କ ଅଭିବ୍ୟକ୍ତି ରଖିବେ ବୋଲି କହିଥିଲେ । ଖବରଦାତା ସମ୍ମିଳନୀରେ ଯୋଗାନନ୍ଦ ଦାସ, ଜୋତିର୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।