ବାଲେଶ୍ୱର : ଆବାସ ଯୋଜନାରେ ଦୁର୍ନୀତି ଓ ପିସି କାରବାରକୁ ବିରୋଧ, ୧୮ ରେ କଂଗ୍ରେସର ବସ୍ତା ବ୍ଲକ ଘେରାଉ
ବସ୍ତା : ରାଜ୍ୟରେ ଆବାସ ଯୋଜନାରେ ଦୁର୍ନୀତି ଓ ପିସି କାରବାରକୁ ବିରୋଧ କରି ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆସନ୍ତା ୧୮ ତାରିଖରେ ସମଗ୍ର ରାଜ୍ୟରେ ସମସ୍ତ ବ୍ଲକ୍ କାର୍ଯ୍ୟାଳୟକୁ ଘେରାଉ କରାଯିବାର ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବସ୍ତା ବ୍ଲକ କଂଗ୍ରେସ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଜିଲା ସଭାପତି ସଞ୍ଜୀବ ଗିରିଙ୍କ ତତ୍ତ୍ୱାବଧାନରେ ବସ୍ତା ସ୍ଥିତ ଗୁପ୍ତା ଭବନ ପରିସରରେ ଆୟୋଜିତ ବୈଠକରେ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ସଭାପତିତ୍ୱ କରିଥିଲେ । ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଏହାକୁ ପରିଚାଳନା କରିଥିଲେ । ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ କୁମାର ନାୟକ ଯୋଗ ଦେଇ ବ୍ଲକ କାର୍ଯ୍ୟାଳୟରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ପିସି କାରବାର ସମ୍ପର୍ଣ୍ଣ ବନ୍ଦ ଦାବିରେ ଆସନ୍ତା ୧୮ ତାରିଖରେ ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ବ୍ୟାପକ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ନବ ନିର୍ବାଚିତ ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଦ୍ୟୁତିକୃଷ୍ଣ ଦାସ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ କମିଟିର ଉପ-ସଭାପତି ଡ. ନଗେନ୍ଦ୍ର କୁମାର ସିଂ, ମନୋଜ କୁମାର ମହାନ୍ତି, ଜିଲା କଂଗ୍ରେସ କିଶାନ ସଭାପତି ଜୟନ୍ତ କୁମାର ମହାପାତ୍ର, ଜିଲା ମହିଳା କଂଗ୍ରେସ ଉପ-ସଭାପତି ଅଞ୍ଜଳି ପ୍ରଧାନ, କଂଗ୍ରେସ ସମ୍ପାଦକ ରବୀନ୍ଦ୍ର ଭଞ୍ଜଙ୍କ ସମେତ ପୁର୍ବତନ ସରପଞ୍ଚ ଅନୀଲ କୁମାର ମହାପାତ୍ର, ଯୁବ ନେତା ଜଗଦୀଶ ସାହୁ, ସଦାନନ୍ଦପୁର ସଭାପତି କମଳଲୋଚନ ଜେନା, ବ୍ଲକ କଂଗ୍ରେସ ଉପ-ସଭାପତି ନରେନ୍ଦ୍ର ଦାସ, ସମ୍ପାଦକ କାର୍ତ୍ତିକ ସାହୁ, ଗଡ଼ପଦା ସଭାପତି ଚକ୍ରଧର ମହାନ୍ତି, ରାଉତପଡ଼ା ସଭାପତି ପ୍ରଦୀପ ଦେ, ବସ୍ତା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ, ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର, ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପ-ସଭାପତି ସେକ କବିରୁଦ୍ଦିନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।