ବାଲେଶ୍ୱର : ସପ୍ତମ ଦିନରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଲମଛାଡ଼ ଓ ଗଣଧାରଣା
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ଅଲ ଓଡ଼ିଶା ପଞ୍ଚାୟତ ଏକ୍ସକ୍ୟୁଟିଭ ଅଫିସର ଆସୋସିଏସନର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ କଲମ ଛାଡ଼ ଓ ଗଣଧାରଣା ଜାରି ରହିଥିବା ବେଳେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଗୁରୁବାର ସପ୍ତମ ଦିବସରେ ପହଞ୍ôଚଛି । ତେବେ ରାଜ୍ୟ ସଂଘ ପକ୍ଷରୁ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଆନ୍ଦୋଳନ ପରେ ବି ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଦାବି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏହି ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ସଂଘର ଜିଲା ସଭାପତି ଗୋବିନ୍ଦ ଚନ୍ଦ୍ର ପୋଥାଳ କହିଛନ୍ତି ।
ସଂଘର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ପୂର୍ବରୁ ଗତ ଅଗଷ୍ଟ ୭ରୁ ୧୭ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ ଆରମ୍ଭ କରିଥିଲେ । ମାତ୍ର ସରକାର ସେମାନଙ୍କ ଦାବି ପ୍ରତି କୌଣସି ଦୃଷ୍ଟି ନଦେବାରୁ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ଓ ଦାୟିତ୍ୱ ବୃଦ୍ଧି ପାଇଥିବାରୁ ନିଯୁକ୍ତିର ବୟସ ସୀମା +୨ ରୁ +୩ କୁ ପରିବର୍ତ୍ତନ ସହିତ ସେମାନଙ୍କ ଦରମା ଲେଭେଲ ୫ ରୁ ୯କୁ ବଢ଼ାଇବା ପାଇଁ ସଂଘର ଦାବିକୁ ସରକାର ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସେହିପରି ପଞ୍ଚାୟତିରାଜ ବିଭାଗର କ୍ୟାଡର ରୁଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସାମିଲ ସହିତ ଶତ ପ୍ରତିଶତ ଜିପିଡିଓ ପଦବୀକୁ ପଦୋନ୍ନତି ପାଇଁ ଦାବି କରିଛନ୍ତି । ସଂଘର ଦାବି ପ୍ରତି ସରକାରଙ୍କ ଉଦାସୀନ ମନୋଭାବ ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଶ୍ରୀ ପୋଥାଲ କହିଛନ୍ତି । ଭୁବନେଶ୍ୱରରେ ଆନ୍ଦୋଳନ ପରେ ରାଜ୍ୟ ସଂଘ କର୍ମକର୍ତ୍ତାଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ଆଲୋଚନା ହେବା ସମ୍ଭାବନା ରହିଛି । ଏଥିରେ ସଂଘ ପକ୍ଷରୁ ହୋଇଥିବା ଦାବି ସରକାର ନିଶ୍ଚିତ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପୋଥାଲ ସୂଚନା ଦେଇଛନ୍ତି । ସମ୍ପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ମିଡିଆ ସମ୍ପାଦକ ଶୁଭଙ୍କର ଦାସ, ସଂଗଠନ ସମ୍ପାଦକ ଶୀଲୁ ସାହା, ସହ ସମ୍ପାଦକ ହେମନ୍ତ ବେହେରା, ଅଡିଟର ସୁବ୍ରତ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଗୌତମ ସେଠୀ, ମାନସ ସେଠୀ, ପ୍ରଦୀପ ସେନାପତି ଓ ଉପଦେଷ୍ଟା ଅଜୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି ।