ବାଲେଶ୍ୱର : ୩୨ହଜାର ୭ଶହ ଟଙ୍କାର ଜାଲନୋଟ୍ ଜବତ, ମହିଳା ସମେତ ୨ ଗିରଫ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆ ଅଞ୍ଚଳରେ ଗତ ୨୨ତାରିଖରେ ଜଣେ ଜାଲ ନୋଟ୍ କାରବାରର ଘଟଣାରେ ଶୁକ୍ରବାର ନୀଳଗିରି ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ନୀଳଗିରି ଥାନା ଅଧିନ ସନ୍ତରାଗଡ଼ିଆ ବଜାର ନିକଟସ୍ଥ ଘୁଡାଡ଼ିଆଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଗତ ମଙ୍ଗଳବାର ସନ୍ତରାଗଡିଆ ବଜାରରେ ମଦ କାଉଣ୍ଟରରୁ ୩ହଜାର ଟଙ୍କାର ମଦ କିଣି ଦୋକାନୀ ୬ଖଣ୍ଡ ୫ଶହ ଟଙ୍କିଆ ନୋଟ୍ ଦେଇଥିଲେ । ଦୋକାନୀ ଦୋକାନ ବନ୍ଦ କରିବା ପାଇଁ ଟଙ୍କା ଗଣିବା ସମୟରେ ଉକ୍ତ ଟଙ୍କା ଗୁଡ଼ିକ ଜାଲ ଥିବାର ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ଏହା ପୂର୍ବରୁ ସେ ଅନ୍ୟ ଖୁଚୁରା ଦୋକାନରେ ମଧ୍ୟ ଜାଲ ନୋଟ ଦେଇ ବିଭିନ୍ନ ସାମଗ୍ରୀ କିଣିଥିଲେ । ଅଭିଯୋଗ ପାଇ ପୋଲିସ କଳା କାରବାରୀ ପୂର୍ଣ୍ଣଚନ୍ଦ୍ରକୁ ଉଠାଇ ଆଣିଥିଲା । ନୀଳଗିରି ପୋଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଘଟଣାର ମୁଖ୍ୟ କିଙ୍ଗପିନକୁ ଧରିବାକୁ ଜାଲ ବିଛାଇଥିଲେ । ତେବେ ଉକ୍ତ ଘଟଣାରେ ପୂର୍ଣ୍ଣଚନ୍ଦ୍ରଙ୍କ ଖଇରା ଅଞ୍ଚଳ ସହାରପୁର ଗ୍ରାମର ସ୍ୱର୍ଗତ ଗଣେଶ ମୁଖିଙ୍କ ସ୍ତ୍ରୀ ବୀଣାପାଣି ମୁଖି (୫୦) ଙ୍କ ସମେତ ଯାଜପୁର ଜିଲାର ଜଣେ ପୁରୁଷ ସଂପୃକ୍ତି ଥିବା ମାନିଥିଲେ । ତେବେ ମହିଳା ଅଭିଯୁକ୍ତ ବୀଣାପାଣିଙ୍କୁ ସୋର ଭଡ଼ାଘରୁ ଗିରଫ କରିବା ପରେ ମୁଖ୍ୟ ଆସାମୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ । ଏହି ଦୁଇ ଅଭିଯୁକ୍ତ ଠାରୁ ୩୮ ଖଣ୍ଡ ୫ଶହ ଟଙ୍କିଆ, ୪୫ ଖଣ୍ଡ ୨ଶହ ଟଙ୍କିଆ, ୪୭ ଖଣ୍ଡ ଶହେ ଟଙ୍କିଆ ଜାଲ ନୋଟ ଜବତ କରାଯାଇଛି । ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଘରୁ ଜାଲ ନୋଟ ନଗଦ ୩୨ ହଜାର ୭ ଶହ ଟଙ୍କା ଏବଂ ଦୁଇଟି ମୋବାଇଲ୍ ଜବତ କରାଯାଇଥିଲା । ଏନେଇ ନୀଳଗିରି ଥାନା ପକ୍ଷରୁ ମାମଲା (ନଂ. ୨୭୬ / ୨୩) ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ଉପସ୍ଥିତ ଥିଲେ ।