ରାସ୍ତା, ଡ୍ରେନ୍ ଓ ପାଣି ସମସ୍ୟାରେ ବାଲେଶ୍ୱର ପୌରାଞ୍ଚଳର ୩ନଂ. ୱାର୍ଡ଼ବାସୀ

ବାଲେଶ୍ୱର : ବାଲେଶ୍ୱର ପୌରାଞ୍ଚଳର ୩ନଂ. ୱାର୍ଡ଼ । ସମସ୍ୟାରେ ଘାଣ୍ଟି ହେଉଛନ୍ତି ୱାର୍ଡ଼ବାସୀ । ବର୍ଷ ବର୍ଷ ଧରି ରାସ୍ତା, ଡ୍ରେନ୍, ପାଣି, ବିଦ୍ୟୁତ୍ ସମସ୍ୟାରେ ସାଧାରଣ ଲୋକେ । ସମସ୍ୟା ଘେରରେ ଦୀର୍ଘଦିନ ଧରି ରହିଆସୁଥିବା ବେଳେ ପୌର ନିର୍ବାଚନ ଆଣି ଦେଇଛି ସମସ୍ୟା ସମାଧାନର ସୂଯୋଗ । ଭୋଟରମାନେ ସିଧାସଳଖ ସମସ୍ୟା ସମାଧାନ କରିପାରିବାର ପ୍ରତିଶ୍ରୁତି ପାଇବା ପରେ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବିଜୟୀ କରାଇବେ ବୋଲି ଏକତ୍ରିତ ହୋଇଛନ୍ତି ।
ପୌରାଞ୍ଚଳର ୩ନଂ. ୱାର୍ଡ଼ଟି ସୁନହଟ୍, ନନ୍ଦସାହି, ମଳିକସାହି, ତିଗିରଣିଆ, ନିଚ୍ଚାପଦା, ଉଚ୍ଚାପଦା, ମୋହିନପଡ଼ିଆ, ଦେବାନୀପାଟଣା, ମସଜିଦ୍ ଓ ପାତ୍ରପଡ଼ାର କିଛି ଅଞ୍ଚଳକୁ ନେଇ ଗଠିତ । ଏଥିରେ ୪ହଜାର ୭୫ ଭୋଟର୍ ରହିଛନ୍ତି । ରାସ୍ତା ପାଇଁ ଦୀର୍ଘଦିନ ଧରି ଦାବି ହେବା ପରେ କିଛିଦିନ ପୂର୍ବରୁ ପୌରପାଳିକା ପକ୍ଷରୁ ୱାର୍ଡ଼ର ଅନୀଲ କୁଇଲିଙ୍କ ଘର ଠାରୁ ଉତ୍କଳ କେଶରୀ ମଲ୍ଲିକ ଓ ଅରୁଣ ପଣ୍ଡା ଏବଂ ଶିଦ୍ଧେଶ୍ୱର ଦେଙ୍କ ଘର ଠାରୁ ଶରତ ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ୩ଟି ରାସ୍ତା ଓ ଡ୍ରେନ୍ କାମ ପାଇଁ ୧୯ଲକ୍ଷ ୪ହଜାର ଟଙ୍କା ମଞ୍ଜୁର ହୋଇ ଫଳକ ଲାଗିଥିଲା । ହେଲେ ଦୁଇଟି ରାସ୍ତାର କାମ ଆରମ୍ଭ ହୋଇ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ ଆଉ ଗୋଟିଏ ରାସ୍ତାର କାମ ଆଜିଯାଏଁ ଆରମ୍ଭ ହୋଇ ନାହିଁ । ଯେଉଁ ଦୁଇ ରାସ୍ତାର କାମ ଆରମ୍ଭ ହୋଇଛି ଏଥିରୁ ଆହୁରି ଅଧାରୁ ଅଧିକ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । କାମ ହେବାକୁ ୪ମାସ ହୋଇ ନାହିଁ, ହେଲେ ରାସ୍ତା ପାଶ୍ୱର୍ ଫାଟି ଆଁ ହେବା ସହ ଭାଙ୍ଗି ବି ଗଲାଣି । ଯେତିକି ବି ରାସ୍ତା ହୋଇଛି ତାହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ବଡ଼ କଥା ହେଲା, କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଟଙ୍କା କିନ୍ତୁ ଉଠାଣ ସରିଥିବା ଜଣାଯାଇଛି । ସେହିପରି ଉକ୍ତ ସାହିରେ ୧୦ଲକ୍ଷ ଏବଂ ୫ଲକ୍ଷ ୮୭ହଜାର ଟଙ୍କାରେ ଆଉ ଦୁଇଟି ରାସ୍ତା କାମ ପାଇଁ ଟେଣ୍ଡର ହୋଇଛି । ହେଲେ ଆଜି ଯାଏଁ କାମ ଆରମ୍ଭ ହୋଇ ନାହିଁ । ଅନ୍ୟପକ୍ଷରେ ୱାର୍ଡ଼ର କିଛି ଅଞ୍ଚଳ ସିଙ୍ଗଲ ଫେଜ୍ରେ ବିଦ୍ୟୁତ୍ ସଂଯୋଗ ହୋଇଥିବାରୁ ଲୋକେ ହଇରାଣ ହେଉଛନ୍ତି । ବିଦ୍ୟୁତ୍ ତାର ଓହଳି ରହିଥିବାରୁ ଲୋକଙ୍କ ମୁଣ୍ଡରେ ବାଜିବା ପରିସ୍ଥିତି ଆସି ସୃଷ୍ଟି ହେଲାଣି । ସେହିପରି ୱାର୍ଡ଼ରେ ଅଧିକାଂଶ ଡ୍ରେନ୍ ଭାଙ୍ଗିରୁଜି ଗଲାଣି । ପାଣି ନିଷ୍କାସନ ହୋଇପାରୁ ନଥିବାରୁ ବର୍ଷା ଦିନେ ଅଞ୍ଚଳବାସୀ ବହୁ ହଇରାଣ ହେଉଛନ୍ତି । ସେମିତି ପୌରପାଳିକା ପକ୍ଷରୁ ନିୟମିତ ସଫେଇ କାର୍ଯ୍ୟ ହେଉ ନାହିଁ । ବର୍ଷ ବର୍ଷ ଧରି ରାସ୍ତା, ଡ୍ରେନ୍, ପାଣି, ବିଦ୍ୟୁତ୍ ସମସ୍ୟାରେ ଘାଣ୍ଟି ହେଉଥିବା ନେଇ ୱାର୍ଡ଼ବାସୀ ଅଭିଯୋଗ ଆଣିଛନ୍ତି ।