ବାଲେଶ୍ୱର : ବନ୍ୟାଜଳ ଉଦ୍ଧାର ନିମନ୍ତେ ମକ ଏକ୍ସରସାଇଜ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଏନଡ଼ିଆରଏଫର ମିଳିତ ଆନୁକୂଲ୍ୟରେ ବୁଧବାର ସଦର ବ୍ଲକ ଅନ୍ତର୍ଗତ ବଇଁଚା ପଞ୍ଚାୟତ ସ୍ଥିତ ବାଲିଘାଟ ନିକଟରେ ବନ୍ୟାଜଳ ଉଦ୍ଧାର ନିମନ୍ତେ ମକ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଜିଲା ଜରୁରୀକାଳୀନ ଅଧିକାରୀ ସାଇକୃଷ୍ଣ ଜେନା, ବାଲେଶ୍ୱର ସଦର ତହସିଲଦାର ଆଶିଷ କୁମାର ମହାପାତ୍ର, ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିସମ ବାହିନୀ, ପୋଲିସ, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଆଦି ବିଭାଗୀୟ ଅଧିକାରୀ, ଓସ୍ଡ଼ାମା ଜିଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳ, ସମ୍ପର୍କ ଏନଜିଓ ପ୍ରତିନିଧି ପ୍ରଦୀପ କୁମାର ଜେନା, ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ, ଆପଦମିତ୍ର ତଥା ସ୍ଥାନୀୟ ଅଧିବାସୀ ବହୁଳ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ବନ୍ୟା ସମୟରେ କିପରି ଜନସାଧାରଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ଏବଂ ନିଜର ଘରୋଇ ଆସବାବପତ୍ରରେ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ କିପରି ପ୍ରତ୍ୟେକ ବ୍ୟକ୍ତି ନିଜକୁ ବଞ୍ଚାଇପାରିବ ସେ ବିଷୟରେ ଏନଡ଼ିଆରଏଫ ଅଧିକାରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ସ୍ଥାନୀୟ ଅଞ୍ଚଳ ଲୋକମାନେ କିପରି ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିସମ ବାହିନୀ ସହ ଯୋଗାଯୋଗ ସ୍ଥାପନ କରି ନିଜର ଜ୍ଞାନ କୌଶଳ ବଢାଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।