ବାଲେଶ୍ୱର : ମାନସିକ ଅନଗ୍ରସର ଲକ୍ଷଣ ସଚେତନତା ଦିବସ
ବାଲେଶ୍ୱର : ବାଲେଶ୍ୱର ସହରର ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ବିଶ୍ୱ ଅଷ୍ଟିଜିମ ବା ମାନସିକ ଅନଗ୍ରସର ଲକ୍ଷଣ ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଦିବାକର ସ ଏଥିରେ ପୌରହିତ୍ୱ କରିଥିଲେ ।
କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରପରିଷଦ ଅଧ୍ୟକ୍ଷା ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନସିକ ଅନଗ୍ରସର କୌଣିସ ରୋଗ ନୁହେଁ ବରଂ ଏହା ଏକ ଭିନ୍ନକ୍ଷମତାର ଲକ୍ଷଣ ବୋଲି କହିଥିଲେ । ବିଶେଷ କରି ଅଷ୍ଟିଜିମ ଲକ୍ଷଣ ଥିବା ବ୍ୟକ୍ତି ଏକ ଭିନ୍ନ ନଜରରେ ସମାଜକୁ ଦେଖିଥାନ୍ତି । ପାରସ୍ପରିକ ସହଯୋଗ ମାଧ୍ୟମରେ ଏହି ଲକ୍ଷଣ ଦୂର ସମ୍ଭବ ହୋଇଥାଏ ବୋଲି ଶ୍ରୀମତୀ ସାହୁ ମତପ୍ରକାଶ କରିଥିଲେ । ବିଦ୍ୟାଳୟର ଉପଦେଷ୍ଟା ସୁବ୍ରତ କର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଷ୍ଟିଜିମ୍ ଲକ୍ଷଣର କାରଣ ଓ ତାହାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ ଚରଣ ପ୍ରଧାନ ଓ ଜଗବନ୍ଧୁ ବେହେରା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗେଦେଇ ଅଷ୍ଟିଜିମ ଏକ ରୋଗ ନୁହେଁ ବରଂ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ କମ କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କ ଠାରେ ଏହି ଲକ୍ଷଣ ଦେଖାଯାଏ ବୋଲି କହିଥିଲେ । ଶେଷରେ ଶିକ୍ଷକ ସୁନୀଲ କୁମାର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।