ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ବାଲେଶ୍ୱର ପୁରୁଷ ଦଳ ଚମ୍ପିଆନ ଓ ମହିଳା ଦଳ ରନର୍ସ ଅପ
ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବାଲେଶ୍ୱର : ବାଲେଶ୍ୱର ଜିଲା ପୁରୁଷ ଓ ମହିଳା ଖୋ ଖୋ ଟିମକୁ ଜିଲା କ୍ରୀଡ଼ା ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ । ଗତ ୧୩ରୁ ୧୫ ତାରିଖ ମଧ୍ୟରେ ପୁରୀରେ ଆୟୋଜିତ ୫୫ତମ ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ବାଲେଶ୍ୱର ପୁରୁଷ ଦଳ ଭୁବନେଶ୍ୱରର କିଟସ ଦଳକୁ ହରାଇ ଚମ୍ପିଆନ ହୋଇଥିବା ବେଳେ ମହିଳା ଦଳ କିଟ୍ସ ଠାରୁ ମାତ୍ର ୧ ପଏଣ୍ଟରେ ହାରି ରନର୍ସ ଅପର ମାନ୍ୟତା ପାଇଛନ୍ତି । ଆସନ୍ତା ୨୦ ତାରିଖରୁ ମହାରାଷ୍ଟ୍ରର ଓସମାନବାଦ ଠାରେ ହେବାକୁ ଥିବା ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ବାଲେଶ୍ୱରର ଖେଳାଳି ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ, ଦିବ୍ୟରଞ୍ଜନ ସିଂ, ସୁକନାଥ ଟୁଡୁ ଓ ସିଦ୍ଦେଶ୍ୱର ଟୁଡୁ ପ୍ରମୁଖ ୫ଜଣ ପୁରୁଷ ଏବଂ ପ୍ରୟଙ୍କା ସିଂ, ରଞ୍ଜିତା ବାରିକ, ପୁଷ୍ପା ମହାନ୍ତି, ଆଶା ମାରାଣ୍ଡି ଓ ପ୍ରତିମା ଦେ ପ୍ରମୁଖ ୫ଜଣ ମହିଳା ଖେଳାଳି ଓଡ଼ିଶା ରାଜ୍ୟ ଦଳରେ ସାମିଲ ହୋଇଛନ୍ତି ।
ଉଭୟ ପୁରୁଷ ଓ ମହିଳା ବାଲେଶ୍ୱର ଫେରିବା ପରେ ସମସ୍ତ ଖେଳାଳିଙ୍କ ସମେତ ପ୍ରଶିକ୍ଷକ ମଳୟ ରଞ୍ଜନ ବେହେରାଙ୍କୁ ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍ଥାନୀୟ ପରମିଟ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ ଓ ସାଧାରଣ ସମ୍ପାଦକ ଅଭୟ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପ୍ରଶିକ୍ଷକ ଶ୍ରୀ ବେହେରା ଓ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ତେବେ ଭତ୍ତିଭୂମି ନଥିବା ସତ୍ତ୍ୱେ ବାଲେଶ୍ୱରର ଖୋ ଖୋ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ କରିବା କେବଳ କୋଚ୍ ମଳୟ ରଞ୍ଜନ ବେହେରାଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ଜିଲା କ୍ରୀଡ଼ାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ ମତ ପ୍ରକାଶ କରିଛନ୍ତି । ଏଭଳି ପ୍ରଶିକ୍ଷକଙ୍କୁ ସରକାରଙ୍କ ପକ୍ଷରୁ କୌଣସି କ୍ଷେତ୍ରରେ ନିଯୁକ୍ତ ବ୍ୟବସ୍ଥା କରାଗଲେ ଆଗାମୀ ଦିନରେ ସେ ଉତ୍ସାହିତ ହୋଇ ଏହି କ୍ରୀଡ଼ାକୁ ଆଗକୁ ନେଇ ପାରନ୍ତେ ବୋଲି ସେ କହିଛନ୍ତି । ତେବେ ରାଜ୍ୟର ଅନ୍ୟାନ୍ୟ ଜିଲା ତୁଳନାରେ ବାଲେଶ୍ୱରରେ ଖୋ ଖୋ ଖେଳ ପାଇଁ ସୁଦୃଢ଼ ଭିତ୍ତିଭୂମି ନଥିବା ସତ୍ତ୍ୱେ ଖେଳାଳିମାନେ ନିଜସ୍ୱ ଉଦ୍ୟମ ଓ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ପାଇପାରିଛନ୍ତି ବୋଲି କୋଚ୍ ଶ୍ରୀ ବେହେରା ସମ୍ବର୍ଦ୍ଧିତ ଅବସରରେ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ବାଲେଶ୍ୱର ଜିଲା ଖୋ ଖୋ ଖେଳରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ଲେଙ୍କା, ପ୍ରଦୀପ କୁମାର ଦାସ, ଜଗଦୀଶ ବେହେରା, ନିମାଇ ଚରଣ ରାଉତରାୟ, ଅଜିତ କୁମାର ପାତ୍ର, କଳ୍ପଲତା ରଥ ପ୍ରମୁଖ କ୍ରୀଡ଼ା ସଂଘର କର୍ମକର୍ତ୍ତାମାନେ ଯୋଗଦେଇ କୃତୀ ଖୋ ଖୋ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।