ବାଲେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଜାରି, ସହର ବେହାଲ୍
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି । ଗତ ସୋମବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଥିବା ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ । ବିଶେଷ କରି ସହରର ଅବସ୍ଥା ବେହାଲ୍ ହୋଇପଡ଼ିଛି । ସହରର ପ୍ରମୁଖ ଛକ ତଥା ରାସ୍ତାମାନଙ୍କରେ କୃତ୍ରିମ ବନ୍ୟା ଜଳର ଲହଡ଼ି ଦେଖିବାକୁ ମିଳିଥିବା ବେଳେ ଦୋକାନ ତଥା ଘରମାନଙ୍କରେ ପାଣି ପଶି ଯାଇଛି । ମୋଟର ଦ୍ୱାରା ଲୋକେ ପାଣିକୁ ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି । ସେହିପରି ସାଧାରଣ ଲୋକେ ଯିବାଆସିବାରେ ବହୁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି ।
ମଙ୍ଗଳବାର ଦିନ ତମାମ୍ ଜିଲାରେ ଲଗାଣ ବର୍ଷା ଯୋଗୁଁ ସହରର ମୋତିଗଞ୍ଜ, ଚିଡ଼ିଆପୋଲ, ଗୋପାଳଗାଁ, ରାଣୀପାଟଣା, ପଢୁଆଁପଦା, ସିନେମା ଛକ, ଫକୀର ମୋହନ କଲେଜ ରାସ୍ତା ଆଦିରେ ପାଣିର ସୁଅ ଚାଲିଥିଲା । ସହରର ପ୍ରମୁଖ ସ୍ଥାନ ଫକୀର ମୋହନ ଗୋଲେଇ ଛକରେ ଅବସ୍ଥା କହିଲେ ନସରେ । ଗୋଲେଇର ଚାରିପାଖରେ ପାଣି ସୁଅ ମାରୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେହିପରି ଅନେକ ସ୍ଥାନରେ ରାସ୍ତାର ଖାଲଖମା ଥିବା ବେଳେ ପାଣି ଭର୍ତ୍ତି ରାସ୍ତାରେ ଯିବାଆସିବା ସମସ୍ୟା ଉପୁଜାଇଥିଲା । ବର୍ଷା ହେଲେ ରାସ୍ତାରେ ପାଣି ଜମୁଥିବାକୁ ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି । ବିଭିନ୍ନ ଦୋକାନରେ ପାଣି ପଶିବା କାରଣରୁ ଦୋକାନୀମାନେ ମୋଟର ଦ୍ୱାରା ପାଣି ନିଷ୍କାସନ କରୁଛନ୍ତି । ଗୋଟେପଟେ ବାଲେଶ୍ୱର ସହର ଅମୃତ ସହର କୁହାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍ ଏବଂ ନାଳ ସଫେଇ ହେଉ ନଥିବାରୁ ଏମିତି ସମସ୍ୟା ଉପୁଜିଥିବା ବାଲେଶ୍ୱରବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବର୍ଷା ଦିନ ପୂର୍ବରୁ ନାଳ ଓ ମହାନାଳ ଉପରେ ପ୍ରଶାସନ ନଜର ରଖିବା ସହ ସେସବୁ ସଫା କରିବାର ଆବଶ୍ୟକତା ରହିଛି । ଏଥିସହ ଏବେ ବିଭିନ୍ନ ରାସ୍ତା କଂକ୍ରିଟ୍ କରାଯାଉଥିବା ବେଳେ ରାସ୍ତାର ଉଚ୍ଚତା ବଢ଼ିବା ସଙ୍ଗେ ସଙ୍ଗେ ସେହି ଅନୁସାରେ ଡ୍ରେନ୍ ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ ହୋଇଛି ।
ସୂଚନା ଯେ, ଜିଲାରେ ଗତ ସୋମବାର ପୂର୍ବାହ୍ନ ୮ରୁ ମଙ୍ଗଳବାର ପୂର୍ବାହ୍ନ ୮ଟା ପର୍ଯ୍ୟନ୍ତ (୨୪ ଘଣ୍ଟା) ମଧ୍ୟରେ ମୋଟ୍ ୬୮୭ ମିମି ବର୍ଷା ରେକର୍ଡ଼ ହୋଇଛି । ହାରାହାରି ୫୭.୨୫ ମିମି ବର୍ଷା ଅଟେ । ଭୋଗରାଇ ବ୍ଲକରେ ୧୩ମିମି, ବସ୍ତାରେ ୨୨ମିମି, ଜଳେଶ୍ୱରରେ ୬୯ମିମି, ବାଲିଆପାଳରେ ୨୩ମିମି, ବାଲେଶ୍ୱର (ସଦର ଓ ପୌରାଞ୍ଚଳ) ୭୬ମିମି, ରେମୁଣା ୫୪ମିମି , ନୀଳଗିରି ୭୪ ମିମି, ସୋର ୮୪ମିମି, ବାହାନଗା ୯୫ମିମି, ସିମୁଳିଆ ୬୨ମିମି, ଖଇରା ୪୭ମିମି, ଔପଦା ବ୍ଲକରେ ୬୮ମିମି ହୋଇଥିବାର ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି ।