ବାଲେଶ୍ୱର ଖାନନଗର ହତ୍ୟାକାଣ୍ଡ ଘଟଣା; ଛତାବରରୁ କଟାମୁଣ୍ଡ ଉଦ୍ଧାର
ଭଦ୍ରକ : ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକରୁ କଟାମୁଣ୍ଡ ବାଲେଶ୍ୱର ସଦର ଥାନା ପୁଲିସ ଉଦ୍ଧାର କରିଛି । ସହକାରୀ ଥାନାଅଧିକାରୀ ଇନିସପେକ୍ଟର ସଦାନନ୍ଦ ନାୟକ ଓ ମାମଲାର ତଦନ୍ତକାରୀ ଅଧିକାରୀ ବନବିହାରୀ ଶତପଥିଙ୍କ ନେତୃତ୍ୱରେ ପୁଲିସ ଦଳ ରାଜପଥର ପାଣିକୋଇଲି ଅଭୁମୁଖି ଛତାବର ଓଭରବ୍ରିଜର ବାମପାଶ୍ୱର୍ ବାଇପାସ ରାସ୍ତା ଆରମ୍ଭ ଜନୈକ ଗ୍ୟାରେଜ ସମ୍ମୁଖ ରାଜପଥ ନଳା ମଧ୍ୟରୁ ଅଖା ଭର୍ତ୍ତି କଟାମୁଣ୍ଡକୁ ଉଦ୍ଧାର କରିଥିଲା ।
ପୁଲିସ ସାଥିରେ ଥିବା ଘଟଣାର ସହ ଅଭିଯୁକ୍ତ ନୟାଗଡ ଜିଲା ଇଟାମାଟି ଥାନା ଅଞ୍ଚଳର ତେନ୍ତୁଳିଆପଲ୍ଲୀ ଗ୍ରାମର ଫକୀର ନାୟକ (୪୦) କଟାମୁଣ୍ଡ ପକାଇଥିବା ସ୍ଥାନ ଚିହ୍ନଟ କରିଥିଲା । ସଂପୃକ୍ତ ସ୍ଥାନରେ ନଳା ଉପରେ ପଡିଥିବା ସ୍ଲାବ ଖସିପଡିଥିବା ସ୍ଥାନରେ କଟାମୁଣ୍ଡ ପକାଇଥିବା ସୂଚନା ଦେଇଥିଲା । ଅପରାହ୍ନରେ ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାଯାଇଛି । କଟାମୁଣ୍ଡ ନୟାଗଡ ଜିଲ୍ଲା ଇଟାମାଟି ଥାନା ସଙ୍ଗୋଇ ଗ୍ରାମର ମୃତ ଶ୍ରୀଧର ଦଳବେହେରା(୩୦)ର ବୋଲି ପୁଲିସ ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଫକୀର ପତ୍ନୀ ସୁମିତ୍ରା (୩୫), ମୃତ ଶ୍ରୀଧର ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳରେ ବସୁଧା ଯୋଜନା ପ୍ରକଳ୍ପରେ କାର୍ଯ୍ୟ କରିବା ସହ ସେଠାରେ ଅସ୍ତାୟୀ ଭାବେ ବସବାସ କରୁଥିଲେ । ସୁମିତ୍ରା ଓ ଶ୍ରୀଧର ମଧ୍ୟରେ ଅନୈତିକ ସମ୍ପର୍କ ଗଢିଉଠିବା ପରେ ବିବାଦର ସୂତ୍ରପାତ ହୋଇଥିଲା । ୫ ତାରିଖରେ ଶ୍ରୀଧର ସୁମିତ୍ରାଙ୍କୁ ମାରଧର କରିଥିଲା । ପରଦିନ ସୁମିତ୍ରା ପ୍ରତିଶୋଧ ପରାୟଣ ହୋଇ ଶ୍ରୀଧରକୁ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ଫକୀରକୁ ଡକାଇ କଟାମୁଣ୍ଡକୁ ନେଇ ଛତାବରରେ ପକାଇ ଦେଇଥିଲା ।