ବାଲେଶ୍ବର : ପ୍ରତୀକାତ୍ମକ ଭାବରେ ପାଳନ ହେଲା ଜଉକଣ୍ଢେଇ ବାହାଘର
- ୫ ଦିନର ବିଶାଳ ଓ ଆକର୍ଷଣୀୟ ଉତ୍ସବ ୫ ଘଣ୍ଟାରେ ସରିଲା
ବାଲେଶ୍ୱର : ବାଲେଶ୍ବର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ବାରା ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀରୁ ଚତୁର୍ଦ୍ଦଶୀ ତିଥିରେ ୫ ଦିନ ଧରି ବହୁ ଧୁମଧାମରେ ପାଳନ କରାଯାଉଥିବା ବାଲେଶ୍ବରର ଜଉକଣ୍ଢେଇ ବାହାଘର ଉତ୍ସବ ଚଳିତ ବର୍ଷ ପାଞ୍ଚ ଘଣ୍ଟାରେ ନିରାଡ଼ମ୍ବର ଭାବରେ ବିଧି ରକ୍ଷା କରାଯାଇ ଜଉକଣ୍ଢେଇ ବାହାଘର ପାଳନ କରାଯାଇଛି ।
ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୁଇ ଜଉକଣ୍ଢେଇ ଶିଳ୍ପୀ ପରିବାର ଆଗେଇ ଆସିଥିଲେ । ବର କର୍ତ୍ତାକର୍ତ୍ତୀ ଭାବରେ ମଦନ ମୋହନ ସାହୁ ଓ ସୁକାନ୍ତି ସାହୁ ଓ କନିଆ କର୍ତ୍ତାକର୍ତ୍ତୀ ଭାବରେ ଭବେନ୍ଦ୍ରନାଥ ଦେ ଓ କବିତା ଦେ ବିବାହ କାର୍ଯ୍ୟକୁ ସଂପାଦନ କରିଛନ୍ତି ।
କମିଟିର ପ୍ରଥାନୁଯାୟୀ ବରକନ୍ୟା ଉଭୟ ପକ୍ଷ ଉଭୟକୁ ଯୌତୁକ ପ୍ରଦାନ କରି କନିଆକର୍ତ୍ତା ପକ୍ଷରୁ ୟଶ୍ ବାତ୍ୟା ଜନିତ ସବୁଜିମାର କ୍ଷୟକ୍ଷତିର ଭରଣା ପାଇଁ ଚାରାଗଛ ପ୍ରଦାନ କରିଥିବା ବେଳେ ବର ପକ୍ଷରୁ କୋଭିଡ ୧୯ ପାଇଁ ମାସ୍କ ଓ ସେନିଟାଇଜର ବଣ୍ଟନ ପ୍ରଦାନ କରିଥିଲେ । ପ୍ରତିବର୍ଷ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ଚଳିତ ବର୍ଷ ୨୦ ଜଣ ଯୋଗ ଦେଇଥିଲେ ।
ଏଥିରେ କମିଟିର ସଂପାଦକ ଡ କୁମାର ଗୋପାଳ, ରାଜେଶ ଗିରି, ଜୟଶ୍ରୀ ସାହୁ, ପ୍ରଶାନ୍ତ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା ସହ ପର୍ଶୁରାମ ବେହେରା, ଅଜୟ ମଇକାଫ୍, ଅମୁଲ୍ୟ ସାହୁ, କମଲ ଦାସ, ଜୟକୃଷ୍ଣ ସାହୁ, ଜିତେନ୍ଦ୍ର ନାୟକ, ପ୍ରୀତମ ନାୟକ, ଜଉକଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସ ଉପସ୍ଥିତ ହୋଇ ବରକନ୍ୟାଙ୍କୁ ଆଶିର୍ବାଦ କରିଥିବା ବେଳେ ସରକାରୀ କୋଭିଡ ନିୟମକୁ ପାଳନ କରି ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତା ଉପସ୍ଥିତ ହୋଇ ପାରି ନଥିଲେ ସୁଦ୍ଧା ସଭାପତି ସୁବାସିନୀ ଜେନା, ଉପସଭାପତି ଅଞ୍ଜଳି ପଣ୍ଡା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର, ସହ ସଂପାଦନ ରଘୁନାଥ ଲେଙ୍କା, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, ଇଂ ହୃଶିକେଷ ସାହୁ, ବ୍ରହ୍ମନାଥ ରଥ, ମନୋସ୍ବିନୀ ଦେବୀ, ସୁଶାନ୍ତ କୁମାର ଦାସ, ସନ୍ତୋଷ କୁମାର ବିଶ୍ବାଳ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆବାହକ ଶିଳ୍ପୀ କେଶୁଦାସ ସୁଚାରୁରୂପେ ତୁଳାଇ ଥିଲେ ।