ବାଲେଶ୍ୱର : ବସ୍ତାରେ ଦନ୍ତା ହାତୀର ଆତଙ୍କ, ଲୋକେ ଭୟଭୀତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଭାନ୍ଦିପୁର, ହଦମୌଦ ଓ ଚାଷୀପଡ଼ା ଗ୍ରାମ ମଧ୍ୟକୁ ଗୁରୁବାର ବିଳମ୍ବିତ ରାତ୍ରୀରେ ଏକ ଦନ୍ତା ହାତୀ ପଶି ଗ୍ରାମବାସୀଙ୍କର ଧାନବସ୍ତାକୁ ନଷ୍ଟ କରିବା ସହ ବାଡ଼ିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ରାତ୍ରି ପ୍ରାୟ ୧ଟା୩୦ରେ ପଡ଼ୋଶୀ ମୟୁରଭଞ୍ଜ ଜିଲା ନାକିଚୁଆଁ ଫରେଷ୍ଟ ରେଞ୍ଜ ଅଧୀନ କାନପୁର ଜଙ୍ଗଲ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ପ୍ରଥମେ ଭାନ୍ଦିପୁର ଗ୍ରାମ ମଧ୍ୟକୁ ପ୍ରବେଶ କରି ଗ୍ରାମର କୃତିବାସ ପାତ୍ରଙ୍କ ବାଡ଼ିରେ ପଶି କଦଳୀ ଗଛକୁ ଭାଙ୍ଗିଥିଲା । ଏହାପରେ ରାସ୍ତାରେ କମଳା ପାତ୍ରଙ୍କ ଘରେ ପଶି ୨ବସ୍ତା ଧାନକୁ ଟାଣି ଖାଇଥିଲା । ପରେ ହାତୀଟି ହଦମୌଦ ଗ୍ରାମ ପାର ହୋଇ ଯିବା ସମୟରେ ଚାଷୀପଡ଼ା ଗ୍ରାମର ଅକ୍ଷୟ ମଣ୍ଡଳଙ୍କ ବାଡ଼ିରେ ପଶି କ୍ଷୟକ୍ଷତି ଘଟାଇଥିଲା ।
ଖବର ପାଇ ବନ ବିଭାଗର କର୍ମଚାରୀଙ୍କ ସମେତ ଗ୍ରାମର ପ୍ରିୟରଞ୍ଜନ ଗିରି, ଜଗଦୀଶ ସେନାପତି, ବାଲା ସାହୁ ପ୍ରମୁଖ ହାତୀକୁ ଘଉଡ଼ାଇ କାନପୁର ଜଙ୍ଗଲରେ ନେଇ ଛାଡ଼ିବା ସମୟରେ ବାଟରେ ସଞ୍ଜୟ ଆଚାର୍ଯ୍ୟଙ୍କ ବାଡ଼ିରେ ପଶି କ୍ଷୟକ୍ଷତି ଘଟାଇ କାନପୁର ଜଙ୍ଗଲକୁ ପଳାଇଥିଲା । ତେବେ କ୍ଷତିଗ୍ରସ୍ତ ପରିବାରଙ୍କୁ ବନବିଭାଗ ଓ ତହସିଲ ପ୍ରଶାସନ ତରଫରୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।