ବାଲେଶ୍ୱର : ସମୁଦ୍ର ଭିତରେ କ୍ୟାଜ୍ କଲଚର ପ୍ରକଳ୍ପର ଉଦ୍ଘାଟନ

ବାଲେଶ୍ୱର : ବାଲେଶ୍ୱରର ବାହାବଳପୁର ଠାରେ ଗଭୀର ସମୁଦ୍ରରେ ପଞ୍ଜୁରୀ ଭିତରେ ମାଛ ଚାଷ (ମେରାଇନ କେଜ୍ କଲଚର) ପ୍ରକଳ୍ପର ଆଜି ଉଦ୍ଘାଟନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ଜାତୀୟ ମତ୍ସ୍ୟସମ୍ପଦ ଉନ୍ନୟନ ବୋର୍ଡ଼ ଦ୍ୱାରା ଶତ ପ୍ରତିଶତ ଆର୍ଥିକ ସହାୟତାରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଛି ।
ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ରଠାରୁ ପ୍ରାୟ ୨୦ କିଲୋମିଟର ଭିତରେ ଏହି ପ୍ରକଳ୍ପ କରାଯାଇଥିବା ବେଳେ ରବିବାର ଏମ୍ପି ଶ୍ରୀ ଷଡ଼ଙ୍ଗୀ ଏବଂ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଟ୍ରଲର ଜରିଆରେ ସେଠାକୁ ଯାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ସମଗ୍ର ଦେଶରେ ଏହା ହେଉଛି ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ । ଏହା ଦ୍ୱାରା ଅଧିକ ମତ୍ସ୍ୟ ଉତ୍ପାଦନ ହେବ ଓ ଆମର ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ମତ୍ସ୍ୟ ଉଦ୍ୟୋଗୀଙ୍କ ଆୟର ବୃଦ୍ଧି ହେବ । ଏହା ମଧ୍ୟ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟର ଉତ୍ସ ହେବ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ର, ଜିଲା କୋଷାଧ୍ୟକ୍ଷ ଜ୍ଞାନରଞ୍ଜନ ଦାସଙ୍କ ସମେତ ଅନେକେ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।