ବାଲେଶ୍ୱର : ଗାନ୍ଧୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବ

ବାଲେଶ୍ୱର : ବାଲେଶ୍ୱର ସହର ମଲ୍ଲିକାଶପୁର ସ୍ଥିତ ଗାନ୍ଧୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବ ରବିବାର ପାଳିତ ହୋଇଛି । ବିଦ୍ୟାଳୟର ମୁଖ୍ୟ ଓମ୍ ପ୍ରକାଶ ମହାପାତ୍ର ଉପସ୍ଥିତ ରହି ବିଦ୍ୟାଳୟର ଆବଶ୍ୟକତା ସମ୍ପର୍କରେ କହିଥିଲେ । ସମଗ୍ର ଓଡ଼ିଶାରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି । ଅଭିଜ୍ଞ ଅଧ୍ୟାପକ, ଉନ୍ନତମାନର ଲାବୋରେଟୋରୀ, ଲାଇବ୍ରେରୀ ଏବଂ ହଷ୍ଟେଲର ବ୍ୟବସ୍ଥା ରଖିବାର ଯୋଜନା ରହିଥିବା କଥା ପ୍ରକାଶ କରିଥିଲେ । ସଭାରେ ଡ. ଗିରିଜା ଶଙ୍କର ପତି ସଭାପତିତ୍ୱ କରିଥିଲେ ।
ମୁଖ୍ୟଅତିଥି ଭାବେ ଡିଆର୍ଡିଓର ସହକାରୀ ନିର୍ଦ୍ଦେଶକ ନିଳାଦ୍ରୀ ରାୟ ଯୋଗଦେଇ ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭବିଷ୍ୟତ କିପରି ଉଜ୍ଜ୍ୱଳମୟ ହୋଇପାରିବ ସେ ସମ୍ପର୍କରେ ଦିଗ୍ଦର୍ଶନ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୋଗଦେଇ ଶିକ୍ଷାର ମହତ ଉଦ୍ଦେଶ୍ୟ କିପରି ହାସଲ କରିହେବ, ସେ ସମ୍ପର୍କରେ ଉପଯୋଗୀ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଖବରଦାତା ସତ୍ୟଶିବ ଦାସ ଏବଂ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର ଯୋଗଦେଇଥିଲେ । ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଉକ୍ତ ସଭାରେ ୪ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଯୋଗଦେଇଥିଲେ । ଗତ କାଉନସିଲ ପରୀକ୍ଷାରେ ଫକୀରମୋହନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା କଳିଙ୍ଗ ଟ୍ୟୁଟୋରିଆଲର ଛାତ୍ର ପଙ୍କଜ ସାସମଲ ଏବଂ କୁନ୍ତଳା କୁମାରୀ ସାବତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଲେଶ୍ୱରରୁ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା କଳିଙ୍ଗ ଟ୍ୟୁଟୋରିଆଲର ଛାତ୍ରୀ ସସ୍ମିତା ମଣ୍ଡଳଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଶୋକ କୁଲହାରୀ ଧନ୍ୟବାଦ ଦେଇଥିଲେ ।